Unknown

 

 

 

 

 

 

 

 

 

 

 

ଦୃଷ୍ଟି ଓ ଦିଗନ୍ତ

ଶ୍ରୀ ନୃସିଂହ କୁମାର ରଥ

 

ଉତ୍ସର୍ଗ

 

ଧରିତ୍ରୀକୁ....................

 

ଆଜିର କବିତା ଏବଂ ‘ଦୃଷ୍ଟି ଓ ଦିଗନ୍ତ’

 

ଅନେକଙ୍କର ଧାରଣା ଯେ ଆଜିର ପୃଥିବୀରେ କବିତାର ମୂଲ୍ୟ ନାହିଁ । ଅର୍ଥାତ୍ ସମସାମୟିକ ବୁଦ୍ଧିଜୀବୀ ଆଜି କବିତା ପାଇଁ ଆଗ୍ରହୀ ନୁହେଁ । ଏହା ସତ୍ୱେ ଅନେକ କବିତା ବହିର ପ୍ରକାଶ ଓ ପ୍ରଚାର ଏବେ ମଧ୍ୟ ହେଉଛି । ଏଥିରୁ ସହଜରେ ଅନୁମିତ ହୁଏ ଯେ ଆଜି ମଧ୍ୟ କବିତା ପାଇଁ ଯଥେଷ୍ଟ ଆଗ୍ରହ ଓ ସୃଜନଶୀଳ ପ୍ରତିଭା ରହିଛି । କବିତାର ଯେ ଅନ୍ୟ ଯେ କୌଣସି କଳାସୃଷ୍ଟି ଠାରୁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ଏହା ଯୁଗେ ଯୁଗେ ପ୍ରମାଣିତ ହୋଇ ସାରିଛି । ଏହା ସମଧିକ ଭାବୋଦ୍ଦୀପକ ଓ ଅଳ୍ପ ସମୟ ମଧ୍ୟରେ ଏକ ସୀମିତ ପରିସର ମଧ୍ୟରେ ଅଧିକ କିଛି କରିବାକୁ ସମର୍ଥ ହୋଇଥାଏ । ଗୋଟିଏ କବିତାର ଅଭିଜ୍ଞତା ଏକ ସମୟରେ ଏକ ମୁହୂର୍ତ୍ତର ଓ ଗୋଟିଏ ଜୀବନ କାଳର ପାଇଁ ହୋଇଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ । ସବୁ ସମୟରେ କବିତାର ଆଦର ଓ ସ୍ୱାତନ୍ତ୍ର୍ୟ ରହିବାର କାରଣ ହେଲା ଯେ କବି, ତାର ସମସାମୟିକ ସଚେତନ ଓ ଜୀବନ୍ତ ଜନସାଧାରଣଙ୍କ ଠାରୁ ଅଧିକତର ସଚେତନ । ସେ ଯେପରି କି ତା ଯୁଗର ସଜ୍ଞାନ ବିନ୍ଦୁର ଶୀର୍ଷରେ ଅଧିଷ୍ଠିତ । କାରଣ ଯେ କୌଣସି କାଳରେ ମାନବୀୟ ଅଭିଜ୍ଞତାର ଶକ୍ତି ଓ ସାରବତ୍ତା ଏକ ଅତି କ୍ଷୁଦ୍ର ଓ ସୀମିତ ଗୋଷ୍ଠୀ ଦ୍ୱାରା ଅନୁଭୂତ ହୋଇଥାଏ ଏବଂ କବି ଏକ ସ୍ୱତନ୍ତ୍ରତାର ଅଧିକାରୀ ହେବାର କାରଣ ସେ ଏଇ ଗୋଷ୍ଠୀ ଅନ୍ତର୍ଭୁକ୍ତ । ଅଭିଜ୍ଞତା ଗ୍ରହଣ କରି ତାକୁ ଉପସ୍ଥାପନା କରିବାରେ ତାର ଶକ୍ତି ଅସୀମ । କବିପାଇଁ ଅଭିଜ୍ଞତାରେ ଆଗ୍ରହ ଓ ଶବ୍ଦ ସଂଯୋଜନା ପ୍ରତି ଆଗ୍ରହ ପୃଥକ ପୃଥକ ସମସ୍ୟା ନୁହେଁ । କାରଣ ସେ ସର୍ବଦା ଏପରି ଶବ୍ଦ ଯୋଜନା କରିଥାଏ ଯାହା ତାହାର ଭାବନା-ବୋଧ ଓ ଚିନ୍ତାର ମାର୍ଗକୁ ସୁନିୟନ୍ତ୍ରିତ କରିବା ସଂଗେ ସଂଗେ ନିଜର ସ୍ଥିତି ସଂପର୍କରେ ସଚେତନ କରେ, ଅଭିଜ୍ଞତାର ଉପସ୍ଥାପନାକୁ କ୍ରମଶଃ ସହଜ ସାଧ୍ୟ କରେ । କିନ୍ତୁ ଯେଉଁଠି କବିତା ଓ ଯୁଗର ପ୍ରଜ୍ଞା ପରସ୍ପରର ସଂପର୍କ ହରାଇ ବସନ୍ତି, ସେଠାରେ କବିତା ଅର୍ଥହୀନ ହୋଇପଡ଼େ ଏବଂ ତାହାରି ଫଳରେ ସେ ଯୁଗ ସୁନ୍ଦର-ଚେତନା-ବୋଧରୁ ବଞ୍ଚିତ ହୁଏ ।

 

ଏଇ ପରିପ୍ରେକ୍ଷୀରେ ଆଜିର ଓଡ଼ିଆ କବିତା ଆମର ଆଲୋଚ୍ୟ । ଓଡ଼ିଆ ସାହିତ୍ୟରେ ବିଗତ କେତେ ବର୍ଷ ଭିତରେ ଯେଉଁ ସମସ୍ତ ସାହିତ୍ୟ ଆଲୋଚନା ହୋଇଛି ସେ ସବୁ କାର୍ଯ୍ୟକ୍ରମରେ ଆଧୁନିକ ଓଡ଼ିଆ କବିତାର ବିଭିନ୍ନ ବିଭାଗ ସ୍ଥାନ ପାଇଛି । ଦେଖା ଯାଇଛି ଯେ କେତେକ ଏବେ ମଧ୍ୟ ‘ଚୋଖୀ’ ରାଗରେ କବିତା ଲେଖି ଶେଷରେ ଭଣିତା ଦେବାର ପକ୍ଷ ସମର୍ଥନ କରନ୍ତି । ସେମାନେ ବସ୍ତୁତଃ ଅନ୍ୟ କୌଣସି କବିତାର ଅସ୍ତିତ୍ୱ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ଯାହା ଅଛି ସେଇ ଆମର ସର୍ବସ୍ୱ ବୋଲି ମନେ କରିବାର ଗଭୀର ଆତ୍ମସନ୍ତୋଷ ପାଇବା ସଙ୍ଗେ ସଙ୍ଗେ ଓଡ଼ିଆ ସାହିତ୍ୟରେ ପ୍ରଗତିଶୀଳ ଚିନ୍ତାଧାରା, ରୂପକଳ୍ପ ସମୃଦ୍ଧ ଟେକ୍‍ନିକ୍‍ର ପଥରୋଧ କରିବାକୁ ବାହାରନ୍ତି । ଏହି ମନୋବୃତ୍ତି କୌଣସି କାଳରେ କୌଣସି କ୍ରମବର୍ଦ୍ଧିଷ୍ଣୁ ସାହିତ୍ୟ ପାଇଁ ସହାୟକ ନୁହେଁ । ପୁଣି ଅନ୍ୟ କେତେକଙ୍କ ମତରେ ଆଧୁନିକତା ବୋଲି କିଛି ନାହିଁ । ଯାହା ଆଜି ପୂରାତନ ତାହା ଦିନେ ଆଧୁନିକ ଓ ପରେ ସମସାମୟିକ ସାହିତ୍ୟ ହୋଇ ରହିଥିଲା । ସେହିପରି ଆଜି ଯାହା ଆଧୁନିକ ତାହା ସମସାମୟିକ ସ୍ତର ଦେଇ ପୁରାତନରେ ପରିଣତ ହେବ । ଏ ଯୁକ୍ତିର ଯଥାର୍ଥତା ମୂଳରେ ରକ୍ଷଣଶୀଳ ମନୋଭାବ ପ୍ରଚ୍ଛନ୍ନ ଭାବରେ ଆତ୍ମପ୍ରକାଶ କରିଥାଏ । ଆଧୁନିକତା ଚିରନ୍ତନ ହେବ ଏ କତା କେହି କହୁନାହିଁ । କିନ୍ତୁ ପାରମ୍ପରିକ ମୂଲ୍ୟବୋଧ ଓ ରୁଚିରୁ ପାଠକକୁ ବିଚ୍ୟୁତ କରି ତା ସମକ୍ଷରେ ନୂତନ ଆଧାର ଓ ଆଧେୟର ସମନ୍ୱୟତାରେ ରୂପକଳ୍ପ, ଆଙ୍ଗିକ ଓ ସ୍ୱର ସଂଯୋଜନା କରି କବିତାର ପ୍ରଚାର ଓ ପ୍ରସାରରେ ଯେଉଁ ନୂତନତାର ସ୍ୱାଦ ଆସ୍ୱାଦନ କରିହୁଏ ତାହାହିଁ ପ୍ରକୃତ ଆଧୁନିକତା ।

 

ଏହି ନୂତନ ଦୃଷ୍ଟି କୋଣରେ, ଏଇ ପରୀକ୍ଷା ଓ ନିରୀକ୍ଷାରେ ଆଜିର ଓଡ଼ିଆ କବିତାକୁ ଦେଖିବାକୁ ମିଳେ । ଏହା ଏକ ଶୁଭ ସୂଚନା ଓ ଏଥିପାଇଁ ପୁରାତନ ପନ୍ଥୀଙ୍କର ଯେପରି ସହନ ଶୀଳତା ପ୍ରଦର୍ଶନ କରିବାର କଥା, ନବୀନ ଓ ତରୁଣ କବିମାନଙ୍କର ସମଧିକ ଅଧ୍ୟବସାୟ ଓ ଉଦ୍ୟମ ରହିବା ଉଚିତ । ଅବଶ୍ୟ ଆଜିର ସଭ୍ୟତର ଜଟିଳତା ଓ ବିଭିନ୍ନତା କବିର ସୂକ୍ଷ୍ମତମ ଚିନ୍ତାଧାରାରେ ବିଭିନ୍ନ ଜଟିଳ ଭାବନା ଉଦ୍ରେକ କରିବ । ଏବଂ ଏହି କାରଣରୁ କବି ସବୁସମୟରେ ସହଜ ଓ ସରଳ ହେବା ଆଶା କରିବା ବିଡ଼ମ୍ୱନା ମାତ୍ର । ଶକ୍ତିଶାଳୀ ସମୟର ପ୍ରଭାବରୁ କୌଣସି ସଚେତନଶୀଳ ଶିଳ୍ପୀ ମୁକ୍ତ ହୋଇ ନପାରେ । ଆଜିର ସମାଜ ଜୀବନରେ ଏକତା ବୋଧର ଅଭାବ, ପାରସ୍ପରିକ ଅନାସ୍ଥା, ଅବିଶ୍ୱାସ, ଅଭାବ, ଅନାଟନ ଆଶଙ୍କା, ବ୍ୟର୍ଥତା, ଆତ୍ମପ୍ରତ୍ୟୟର ଅଭାବ, ଆନ୍ତରିକତା ପରିବର୍ତ୍ତେ ଛଳନା ଓ ପ୍ରତାରଣା ଏବଂ ଆବଶ୍ୟକ ହେଲେ ଆଦର୍ଶର ନିର୍ମମ ହତ୍ୟାକରି ନିର୍ବିକାର ରହିବା ଏବେ ମଧ୍ୟ ସଂଭବପର ହୋଇ ପାରୁଛି ।

 

ଏଠାରେ କୌଣସି ନିର୍ଦ୍ଦିଷ୍ଟ ମୂଲ୍ୟ ବୋଧର ସ୍ପର୍ଶଇ ନାହିଁ । ଏଗୁଡ଼ିକ ଏକାଧାରରେ କବିର ଚିନ୍ତାରାଜ୍ୟରେ ବିଭ୍ରାଟ ସୃଷ୍ଟି କରି ବିଭିନ୍ନ ଜଟିଳ ରୂପ ପରିଗ୍ରହ ପୂର୍ବକ କବିତାରେ ଦେଖାଦେବା ଅତି ସ୍ୱାଭାବିକ କଥା । କିନ୍ତୁ ଏହାକୁ କେବଳ ନୈରାଶ୍ୟବାଦ ବା ବ୍ୟର୍ଥତା କହିଲେ ଠିକ୍ ହେବ ନାହିଁ । କାରଣ ସାହିତ୍ୟ—ବିଶେଷ କରି କୌଣସି ଦେଶର ସମୃଦ୍ଧ ସାହିତ୍ୟ କେବଳ ନିଜ ଯୁଗର ସୀମାରେ ଆବଦ୍ଧ ନୁହେଁ । ଉଚ୍ଚ କୋଟିର କଲା ଓ ସାହିତ୍ୟ ଏକ ନିର୍ଦ୍ଦିଷ୍ଟ ସମୟରେ ସମାଜ ଚିତ୍ର ଓ ସଂସ୍କୃତିର ବାର୍ତ୍ତାବହ ରୂପେ ଦେଶ, କାଳ, ପାତ୍ରର ସୀମା ଲଂଘନ କରି ଅନନ୍ତ କାଳର ହୋଇଥାଏ । ତେଣୁ କୌଣସି ସୃଜନଶୀଳ ଶିଳ୍ପୀ ବା ଲେଖକ ନିଜର ଜୀବନ କାଳ ପାଇଁ ଲେଖି ମଧ୍ୟ ଚିରନ୍ତନ ସୃଷ୍ଟିର ସଙ୍ଗୀତ ଗାଇଯାଏ ।

 

ଆଜିର ଓଡ଼ିଆ କବିତା ଏକ ପରୀକ୍ଷା ଓ ପ୍ରୟୋଗ ସ୍ତରରେ ରହିଥିଲେ ମଧ୍ୟ ଏଥିରେ ନୂତନତାର ସ୍ୱର ସଂକେତ ସ୍ପଷ୍ଟ । ଏହା ହୁଏତ ସମଗ୍ର ପୃଥିବୀର ସମସାମୟିକ ସାହିତ୍ୟ-ଧାରା, ସମୟର ଚେତନା ବୋଧ ଓ ସଭ୍ୟତାର ବିକାଶଦ୍ୱାରା ପ୍ରଭାବିତ ହୋଇ ପାରିଥାଏ କିନ୍ତୁ ଏଥିରେ ଯେ ନୂତନତା ଅଛି, ଏହା ଯେ ପାରମ୍ପରିକ ନିଗଡ଼ରୁ ନିଜକୁ ମୁକ୍ତ ରଖି ମଧ୍ୟ ଅତୀତରୁ ବର୍ତ୍ତମାନ ଦେଇ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି, ଏଥିରେ ସଂଦେହ ନାହିଁ ।

 

ମୋର ଏ ସଂକଳନ ପର୍ଯ୍ୟାୟଭୁକ୍ତ କବିତା ମଧ୍ୟରୁ କେତେକ ବିଭିନ୍ନ ସମୟରେ (୧୯୬୦ ରୁ ୧୯୬୨) ‘ଝଙ୍କାର’, ‘ଡଗର’ ଓ ‘ସମାବେଶ’ ପ୍ରଭୃତିରେ ପ୍ରକାଶିତ । ଏଇ ଅବସରରେ ସେ ସବୁର ସଂପାଦକମାନଙ୍କଠାରେ କୃତଜ୍ଞତା ଜ୍ଞାପନ କରୁଛି । କବିତା ଗୁଡ଼ିକରେ ସାମଗ୍ରିକ କାବ୍ୟିକ-ଚେତନା (ଯାହା ସଂକଳନରେ ସଂଭବ ନୁହେଁ) ତ ନାହିଁ, ତେବେ ପୃଥକ୍ ଭାବରେ ଏହା ଯେ ପାଠକ ପାଖରେ ଆଦର ପାଇପାରିବ ଏଇ ଆଶା କରୁଛି ।

 

ସାରସ୍ୱତ ପୁସ୍ତକ ଭଣ୍ଡାର ସଂକଳନଟିର ପ୍ରକାଶ ଭାର ଗ୍ରହଣ କରିଥିବାରୁ ଧନ୍ୟବାଦାର୍ହ-। ବଂଧୁ ଉମାଶଙ୍କର ପଣ୍ଡାଙ୍କର ଉଦ୍ୟମ ଓ ଆନ୍ତରିକତା ପାଇଁ ମୁଁ ମଧ୍ୟ ବିଶେଷ ଭାବରେ ଋଣୀ । ଇତି ।

 

ଶ୍ରୀ ନୃସିଂହ କୁମାର ରଥ

☆☆☆

 

ଚଲାପଥ

 

(୧)

 

ସେଇପାଖ ରାସ୍ତାଦେଇ ଗଲାବେଳେ ଚାହୁଁଥାନ୍ତି ତୁମେ

ବାରବାର ଫେରିଫେରି ଅନ୍ୟକିଛି ବାହାନା ଦେଖାଇ

ଢଳଢଳ ଦୁଷ୍ଟ ଆଖି ଏଣେ ତେଣେ ବୁଲି ଯାଉଥାନ୍ତା

ଗପ କିଛି କରୁଥାନ୍ତ ସାଙ୍ଗ ସାଥୀ ଗହଣରେ ଥାଇ ।

 

ପାଖରେ ସାକ୍ଷାତ୍ ହେଲେ ଆଉ ପୁଣି ଛାଡ଼ିବାକୁ ସତେ

ମନ ଜମା ବଳନ୍ତାନି, ମେଣ୍ଟାନ୍ତାନ୍ତି ତୃଷ୍ଣା ସେ ଆଖିର

ସଫା ନେଳୀ ଆକାଶର ସୂର୍ଯ୍ୟତାପ ବାଧୁଥିଲେ ଯେତେ

ସରମେ ଝାଉଁଲି ଯାଇ କରନ୍ତନି ଟିକିଏ ଖାତିର୍ ।

 

ଆଜି ଗୋଟେ ଗପ ବହି, କାଲି ପୁଣି କବିତା ବହିର

ବରାଦ କରନ୍ତ କେତେ, କେତେ ରାଣ ଆକୁଳ ଆକୁତୀ

ରୁମାଲରେ ଫୁଲ କାଟି ଜନ୍ମଦିନ ଉପହାର ଦେଇ

‘ଭୁଲିବନି’ ‘ମୋ ରାଣ’ କେତେ କଣ କହୁଥାନ୍ତ ନିତି ।

 

ସେ ରାସ୍ତାର ଧୂଳି ମାଟି ସବୁ ତୁମ ଚିହ୍ନ ରଖିଥାଏ

ଯେମିତି କି ଆଜି ପୁଣି କାନେ କାନେ କେତେ କଥା କହେ ।

 

(୨)

 

ତୁମ ଦିଆ ଉପହାର ସେଇ ଯେଉଁ ରୁମାଲ୍‍ଗୁଡ଼ାକ

ଏବେ ଚିରି ଯାଇ ନାହିଁ, ତୁମ କଥା ସ୍ୱର ତ ମରିନି

ପବନର ଲହରରେ ଦିନ ରାତି ଖେଳି ଖେଳି ବୁଲେ

ଅମାନିଆ ପିଲା ପରି ବୁଝାଇଲେ ଯେତେ ବି ବୁଝେନି ।

 

କିମିତି କହିବ କିଏ ତୁମ ସତ୍ତା ହଜିଗଲା ବୋଲି

କିମିତି କହିବ କିଏ ତୁମର ସେ ଗହଳ ବେଣୀରୁ

ଚିନି-ଚମ୍ପା ଝରିଗଲା କେତେ ଜାତି ନାଇଲନ୍ ଫିତା

ଆଉ ବନ୍ଧା ଯାଉନାହିଁ, ଉଡ଼ୁନାହିଁ ଅଯତ୍ନ ଚିକୁର ।

 

ତୁମର ପ୍ରଳାପ ହେଉ, ସ୍ୱପ୍ନ ହେଉ, ଯାହାକିଛି ହେଉ

ପାହାନ୍ତିଆ ପ୍ରହରରେ କହିଥିଲ ଯାହା କେତେ ଥର

କିଏ ଆସି ଠିଆ ହୁଏ ସେ ରାତିର ନୀରବତା ଭାଙ୍ଗି

ସବୁ ଏବେ ମନେ ପଡ଼େ, ପୋଛିଦିଏ ତୁମ ଲୁହ ଧାର ।

 

ତୁମେ କଣ କାନ୍ଦୁଛକି ଫୁଲି ଫୁଲି ଉଠେ ଆଜି ରାତି

ତୁମେ କଣ ଅସହାୟ ଖୋଜି ତେଣୁ ବୁଳ ଏଠି ସାଥି ?

 

(୩)

 

ସେ ପାଖର କ୍ୟାବିନ୍ ଓ କନିଅର ଗଛ ଆଡ଼େ ଚାହିଁ

ଏବେ ସେ ରାସ୍ତାରେ ଗଲେ କେତେ ସ୍ମୃତି ଛାଇ ହୋଇଯାଏ

ତାତିଲା ବାଲିରେ ତୁମେ ଠିଆ ହୋଇ ଗପୁଥିଲ କେତେ

ଯେତେସବୁ ପାଗଲାମୀ ତୁମଠାରେ ଭରି ରହିଥାଏ ।

 

କେହି ବୁଝି ପାରନ୍ତିନି ତୁମ ମନ, ଦରଦ ତୁମର

ବିଚିତ୍ର ଏ ଦୁନିଆଁରେ ସ୍ୱାର୍ଥ ଆଉ ଆତ୍ମ କୈନ୍ଦ୍ରିକତା

ଚାରିଆଡ଼େ ଘେରିଅଛି ଆତ୍ମାହୀନ ଭୂତଙ୍କ ଗହଳେ

ଶ୍ୱାସ ରୁଦ୍ଧ ହୁଅ ତୁମେ ଜଳିପୋଡ଼ି ଯାଏ ସରସତା ।

 

ତାର ଏକ ବ୍ୟତିକ୍ରମ ମୋ ଠାରେ ଯେ ପାରୁଅଛି ଦେଖି

ଖୋଲି ତେଣୁ କହୁଅଛି ଯେତେ ବ୍ୟଥା ଆହତ ମନର

କେତେ ସବୁ ଆସିଥିଲେ ରୂପଲୋଭୀ ନେବାପାଇଁ ଲୁଟି

ତୁମ ମନ ବଗିଚାରୁ ଫୁଲ ଯେତେ ବିଚିତ୍ର ବର୍ଣ୍ଣର ।

 

ମଉଳିତ ଯାଇନାହିଁ ସେଇଫୁଲ, ସଉରଭ ତାର

ଦୃଷ୍ଟି ଓ ଦିଗନ୍ତ ଭରି କରୁଛନ୍ତି ଆଜି ଯେ ବିଭୋର ।

 

(୪)

 

ଗୁଣୁ ଗୁଣୁ ଗୀତ ଯେତେ ବସି ବସି ଖରା ଲେଉଟାଣି

ତୁମେ ଗାଉଥିଲ ଦିନେ ତୋଳୁଥିଲ ଧ୍ୱନିତ ଝଙ୍କାର

ସବୁକଣ ସରିଗଲା ସବୁକଣ ପାଣିର ଗାରଟେ

ଲିଭିଗଲା ପରେ ଆଉ ରହେନାହିଁ ଚିହ୍ନବର୍ଣ୍ଣ ତାର ।

 

ଫଗୁଣର ଫଗୁଖେଳ, ରଜଦୋଳୀ, କୁଆଁର ପୁନିଅଁ

ଯାତ୍ରା ଆଉ ମେଲଣରେ ଆଉ ତୁମ ସାକ୍ଷାତ ମିଳେନି

ସହରର ରାସ୍ତା କାନ୍ଦେ, ତୁମ ଚଲାପଥ ଅନୁସରି

କେତେ ଆଖି ଝୁରି ଝୁରି ନିଷ୍ପ୍ରଭ ଯେ ପଲକ ପଡ଼େନି ।

 

ତୁମେ କଣ ଆସୁଛକି ପାରିହୋଇ ଗଳିକନ୍ଦି ଯେତେ

ରିକ୍ସାରେ ସଜାଇ ଦେହ ପ୍ରିୟ ପରିଜନଙ୍କ ଗହଣେ

ପ୍ରଭାତରେ ନୂଆଛବି ‘ମଧୁମତୀ’ ଆଉ ଥରେ ଦେଖି

ହଠାତ୍ ଯାଉଛ ଲୁଚି ଛାଇ ଛାଇ ଆଲୁଅ ଅନ୍ଧାରେ ।

 

ତୁମର ବିଷନ୍ନ ମୁହଁ ଦେଖାଯାଏ ଅସରନ୍ତି କଥା

ଆଜି ମୁଁ ପାରୁଛି ଶୁଣି ପଢ଼ୁଛି ମୁଁ ତୁମରି କବିତା

 

(୫)

 

ଜୀବନର ଯେତେଗୋଟି ବସନ୍ତର ବିପୁଳ ଉତ୍ସବ

ଶୁଭେଚ୍ଛା ଓ ବାର୍ତ୍ତାନେଇ ଆସିଥିଲା ଡାଇରୀ ପୃଷ୍ଠାରେ

ଆଜିବି ରହିଛି ଅତି ସ୍ପଷ୍ଟ ହୋଇ ସମୟର ଖରା

ଲିଭାଇ ପାରିନି ତାକୁ ରଙ୍ଗ ତାର ଛାଡ଼ି ଯାଇନାହିଁ ।

 

ନେଳୀ ନେଳୀ କାଗଜରେ ଟିକି ଟିକି କେତେ ଯେ ଅକ୍ଷର

ତୁମେ ବସି ଲେଖୁଥାନ୍ତି ନିର୍ଜନରେ, ନିଶବ୍ଦ ରାତିରେ

ଓଠରେ ସାଇତି ରଖି ଦୂର କେଉଁ ଅରଣ୍ୟର ମାୟା

ଚମକି ରହନ୍ତି ଚାହିଁ ଚୁପ୍‍ଚାପ୍‍ କାହାର ଡାକରେ ।

 

ଚାରିଆଡ଼େ ଶୁନ୍‍ଶାନ୍ କେହିନାହିଁ ନିକଟ ବା ଦୂରେ

ଯେତେବେଳେ ଜାଣୁ ଥାନ୍ତି ହିଂସ୍ର ବାଘ ମାନିଯା’ନ୍ତା ପୋଷ

ଗୋଡ଼ ହାତ ଜାକିଜୁକି ଶୋଇ ଯାଇ ରାତିଟା ସରିଲେ

ସକାଳର ଶେତା ମୁହେଁ ପୁଣି ତୁମ ଉକୁଟନ୍ତା ହସ ।

 

ସେ ହସର ରାହାଧରି ମୁଁ ଦେଖୁଛି ଶେଷ ତାର ନାହିଁ

ଆଲୋକର ସ୍ରୋତ ତାହା ଅନ୍ଧକାରେ ହଜି ଯାଇନାହିଁ ।

 

(୬)

 

ନିଝୁମ ଅନ୍ଧାରେ ବସି ଏ ପାଖର ଅଖ୍ୟାତ ଗଳିରେ

ତୁମକୁ ପାରୁଛି ଦେଖି ସତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି

ଜିକ୍ ଜିକ୍ ତାରାମେଳେ ତୁମର ସେ ଲୁଚୁକାଳି ଖେଳ

କେତେବେଳୁ ଚାଲିଲାଣି କିଏ ତାର ହିସାବ ରଖିଛି ।

 

କିଏ ସେ ପାରୁଛି କଳି ଏ ଗ୍ଳାନିର ଗଭୀରତା କେତେ

ପବନ ଯାଉଛି କହି ଅସମ୍ପୂର୍ଣ୍ଣ କବିତା ତୁମର

ତାକୁ କିଏ ଶୁଣୁଛିବା ତାର କିଏ ସମୀକ୍ଷା କରୁଛି

ଅଶ୍ରୁର ଆବେଗ କିଏ ଜାଣୁଛି ଯେ ନିଷ୍ପ୍ରଭ ଆଖିର ।

 

ଏ ଗୁଡ଼ାକି ବାଜେ ସବୁ ନିରର୍ଥକ ମୂଲ୍ୟ କିଛି ନାହିଁ

ତୁମେ ଶୁଣି ପାରୁନାହଁ ଖାଲି ସବୁ ଅରଣ୍ୟର ଡାକ

କେମିତି ଧରୁଚ ଧୈର୍ଯ୍ୟ ଏତେ ହସ ଖୁସି କି ପାଶୋରି

ଜଳ ଜଳ ଆଖି କରି କିଏ କ’ଣ କରିଛି କୁହୁକ ।

 

ରହସ୍ୟର ପର୍ଦ୍ଦାଖୋଲି ହାୟ କିଛି ପାରୁନାହିଁ ଜାଣି

ତୁମେ ଆସି କହିଯାଅ ଯେତେସବୁ ଅଦ୍ଭୁତ କାହାଣୀ ।

 

(୭)

 

ତୁମେ ପରା କହୁଥିଲ ସ୍ୱାର୍ଥପର ସଂକୀର୍ଣ୍ଣ ପୃଥିବୀ

ତାକୁ ବି ନିଜର କଲ ତେଣୁ ତୁମ ସ୍ୱତନ୍ତ୍ର ପୃଥ୍ୱୀର

ସନ୍ଧାନ ପାରୁନି କରି ଅପନ୍ତରା ମାଇଲ୍‍ ମାଇଲ୍

ଅତିକ୍ରମ କଲାପରେ ବାଲି ଖାଲି ବାଲିର ବିସ୍ତାର ।

 

ଦୁନିର୍ବାର ଏ ପିପାସା, ଦୁର୍ବିସହ ଜ୍ୱଳନର ଦାଉ

ଦୁର୍ଗମ ପଥର କ୍ଳାନ୍ତି ଯେତେ ଯେତେ ବିକଳ ପ୍ରତୀକ୍ଷା

ଜୀବନର ଅନ୍ୟରୂପ ଅଦୃଷ୍ଟର ଆକର୍ଷଣ ଏକ

ଆମେ ସବୁ ପଟ୍ଟଶିଷ୍ୟ ସେ ଆମର ଚରମ ପରୀକ୍ଷା

ସେ ପରୀକ୍ଷା ଶେଷରେ କି ଆଉ କିଛି ସାର୍ଥକତା ଅଛି ।

 

ଏ କ୍ଳାନ୍ତିର ଇତିପରେ ଆଉ କିଛି ଅଭିପ୍ସା ସଂଭବ

ଏବଂ ତାର ପୂର୍ଣ୍ଣତାରେ ଏ କରୁଣ ଅସ୍ଥିରତା ନାହିଁ

ଏ ନିର୍ମମ ପରିଣତି, ଅନ୍ତର୍ଦାହ ବ୍ୟଥା ଓ ଅଭାବ ।

ଛଳନାର କୁହେଳୀରେ ହଜେନାହିଁ ପ୍ରୀତିର ପ୍ରତ୍ୟୟ

ବିସ୍ମୃତିର ଅନ୍ତରାଳେ ସ୍ୱପ୍ନ ଯେତେ ହୁଏନି ବିଲୟ

 

(୮)

 

ସହସ୍ର ପ୍ରଶ୍ନର ଜାଲେ ଛନ୍ଦିହୁଏ ସମାଧାନ ନାହିଁ

ମୁଁ କିଆଁ ପାରୁନି ଜାଣି ତୁମେ ଆଜି ମାଟିର ମମତା

ଅକସ୍ମାତ ଭୁଲିଗଲ, ଭୁଲିଗଲ ଦେହଜ କାମନା

ଏ ଆଖିର ଆର୍ତ୍ତନାଦ, ଏ ବିଦଗଧ ପ୍ରାଣର ପ୍ରେରଣା ।

 

ତୁମେକି କୋକିଳ ହୋଇ କାହିଁ କେଉଁ ଦୂରନ୍ତ ଅରଣ୍ୟେ

ବସନ୍ତ ଆସିଲେ ଫେରି ତୋଳୁ ଅଛ ନୂତନ ମୂର୍ଚ୍ଛନା

ମୋ ପାଇଁ ଆଣୁଛ ବାର୍ତ୍ତା ଆଜି ପୁଣି ବିକ୍ଷୁବ୍ଧ ଦିନାନ୍ତେ

ଗତାୟୁ ଦିନର ସ୍ମୃତି ଉଜ୍ଜିବୀତ କରିବାକୁ ସିନା ।

 

ସେ ସବୁ କି ମିଛ କେବେ ? ମିଛ ହେଉ ସେ କିନ୍ତୁ ସୁନ୍ଦର

ଜୀବନ ଅନିତ୍ୟ ହେଉ ସେଥିରେ ବି ନିତ୍ୟ ସନାତନ

ସତ୍ୟର ସନ୍ଧାନ ଆମେ କରିଥାଇ ସୀମିତ ଶକ୍ତିରେ

ତୁମ ଆମ ସମ୍ପର୍କର ସେ ବିଚିତ୍ର ସଂଜ୍ଞା ନିରୂପଣ ।

 

ଆମେବି ପୃଥକ୍ ହୋଇ ଏକକରେ କରିଛେ ସମ୍ମାନ

ମିଳିତ କଣ୍ଠରେ ତୋଳି ଜୀବନର ଜୟ ଜୟ ଗାନ ।

 

(୯)

 

ତୁମରି ସନ୍ଧାନେ ତେଣୁ ଏ ଆଶକ୍ତି ଅୟୁତ ପ୍ରତୀକ୍ଷା

ଯୋଜନ ଯୋଜନ ବ୍ୟାପି ଯାତ୍ରା ମୋର ନିଷ୍ପ୍ରାଣ ମରୁରେ

ତେବେ ବି ପ୍ରତ୍ୟୟ ଜାଣେ ସର୍ବସ୍ୱାନ୍ତ ହୃଦୟ ଅତଳେ

ଅନାଗତ ସ୍ୱପ୍ନ ଦେଖି ମୁଗ୍ଧ ହୁଏ କେତେ ଯେ ଭାବରେ ।

 

ଯଦି ବା ସରେ ଏ ପଥ ଦୂର କେଉଁ ନିଘଞ୍ଚ ଅରଣ୍ୟେ

ସତେ ତୁମେ ରହିଅଛି ବାଟଭୁଲି ପାହାଡ଼ୀ ଝରଣା

ସୁମଧୁର କଳତାନେ ମିଳନର ଆବାହନୀ ଗାଇ

ଉଦାସେ ଯାଉଛି ଲୋଟି ଅକସ୍ମାତ ହେବକି ସାକ୍ଷାତ ।

 

ମରୁ ପଥିକର ତୃଷ୍ଣା ଶାନ୍ତ ହେବ କ୍ଲାନ୍ତ ଏ ଆଖିର

ଝାପ୍ସା ଦୃଷ୍ଟି ସୀମାନ୍ତରେ ମୁଁ ଦେଖିବି ବିଚିତ୍ର ବର୍ଣ୍ଣର

ଫୁଲ ସବୁ ଝରିଯାଏ ଛାୟା ଘନ ଗଛର ଶାଖାରୁ

ତୁମରି ଦେହର ବାସ୍ନା ଅନୁସରି ଉନ୍ମତ ବିଭୋର ।

 

ଏଠି ତେଣୁ ବରିନିଏ ଯେତେ ଝଡ଼ ଝଞ୍ଜାର ପ୍ରହାର

ମୁହୂର୍ତ୍ତ ସ୍ୱପ୍ନରେ ଦେଖି ଦିବ୍ୟ ଜ୍ୟୋତି ଦୀପ୍ତି ଆଲୋକର ।

 

(୧୦)

 

ଯେଉଁ ମନ ନେଇ ଖାଲି ମୋର ଏଇ ଅଘରା ଅସ୍ତିତ୍ୱ

ରକ୍ତ ଓ ମାଂସର ଦେହ ତୁମେ ଦିନେ ପାଇଥିଲ ଭଲ

ନୀରବେ ନିଭୃତେ କେତେ ଝରିଥିଲା ଆଖିରୁ ଲୋତକ

ସମୟ-ଝଡ଼ରେ ତାର ଲୁପ୍ତହେଲେ ନଷ୍ଟ ଅବଶେଷ,

 

ମୁଁ ଜାଣିଛି ତୁମପାଇଁ କେବଳ ହିଁ ଅର୍ଥହୀନ ହେବ

ସେ ଅଶ୍ରୁର ଉଦବେଗ ଓ ହୃଦୟର ଯେତେ ଅଧିରତା

ଦୃଷ୍ଟି ଓ ଦିଗନ୍ତ ଘେରି ଆସିଯିବ ଆଚ୍ଛନ୍ନ କୁହେଳି

ବିବର୍ଣ୍ଣ ଆଖିର ଜ୍ୟୋତି ହେବ ଏବଂ ଅନ୍ୟ ମନସ୍କତା

 

ରାଜୁତୀ କରିବ ସେଠି; ସେବେଳେ ମୁଁ ହୁଏତ ଏମିତି

ବହଳ ଆର କାଟି, ତୁଚ୍ଛ କରି ଗ୍ଳାନି, ପରାଭବ

ପବନ-ଲହରେ ରଖି ମୋ ଅଶାନ୍ତ ଅଦେହ ସ୍ଥିତିକୁ

ତୁମରି ସ୍ୱତନ୍ତ୍ର ପୃଥ୍ୱୀ କରୁଥିବି ନିତି ପରିକ୍ରମା ।

 

ମୋର ସେଇ ଅନ୍ୱେଷଣେ ଆଶାକେତେ, ଆଶଙ୍କା ଯୁଗର

ପରିପୂର୍ଣ୍ଣ ରହିଥିବ କରି ଏକ ସଂପର୍କ ଜାହିର ।

☆☆☆

 

ଦ୍ୱିପ୍ରହର

 

ବାହାରେ ଅସହ୍ୟ ଖରା କାଠଜୋଡ଼ି ବାଲିରେ ହୁଏତ

ତୁଷାର୍ତ୍ତ ପଥିକ ଆଗେ ମରୀଚିକା ଲୁଚୁକାଳି ଖେଳ

ଏତେବେଳେ ଲାଗିଥିବ ଆମମନେ ସହସ୍ର ସ୍ୱପ୍ନର

ଆଶ୍ଚର୍ଯ୍ୟ ଉଦ୍ଭବ ପରି ଦେଖି ଯାହା ଦେଖିବି ହୁଏନି ।

ଅଦୃଶ୍ୟ ବନ୍ଧନେ ବାନ୍ଧି ଯାହାଖାଲି ଆକର୍ଷଣ କରେ

ଅଜସ୍ର ଆସକ୍ତି ନେଇ ଲୁବ୍ଧ କରେ ସାନ ସାନ ପିଲା

ଆମେ ସବୁ ଭୁଲି ଯାଉ ସତ୍ୟାସତ୍ୟ ଜାଣିବାକୁ ନାହିଁ

ଚାରିଆଡ଼େ ଶୂନଶାନ୍‍ ଗଛ ସବୁ ପତ୍ର ଝଡ଼ା ପରେ

ନିର୍ବାକ ରହନ୍ତି ଚାହିଁ ଚଢ଼େଇଙ୍କ କିଚିରି ମିଚିରି

ଶବ୍ଦର ସୂଚନା ନାଇଁ ସବୁସ୍ଥିର ସ୍ତବ୍ଧ ସବୁ

କେବଳ ଯାସେ ପାଖର ଘରୁ,

ରେଡ଼ିଓ ସଂଗୀତ ଆସେ ଥରି ଥରି ଆହତ ମୂର୍ଚ୍ଛନା

ବିଚିତ୍ର ସଂସାର ଗତି ପାଖେ ଥାଇ ଏତେ ବି ଦୂରରେ

ନିଜକୁ ବିଶ୍ଳେଷି ମଧ୍ୟ ଜାଣିବାର ଶକ୍ତି ଆମ ନାହିଁ ।

ଏ ରହସ୍ୟ ଛାୟାବାଜି ଯେମିତି କି ଅଭେଦ୍ୟ ଦୁର୍ଗର

ସଂଚିତ ଅମୂଲ୍ୟ ରତ୍ନ ଆମେ ତାର ଜାଗ୍ରତ ପହରୀ ।

ନିର୍ଜନ ପ୍ରକୋଷ୍ଠ ଏଠି ଝିଲମିଲି ମନର ପର୍ଦ୍ଦାରେ

ଅନେକ ଅସ୍ପଷ୍ଟ ମୁହଁ ଛାଇ ଛାଇ ଆଲୁଅ ଅନ୍ଧାରେ ।

ଅହରହ ଖେଳିବୁଲେ ଦୂର କେଉଁ ଗୋହିରୀ ଟାଙ୍ଗର

ଅରଣ୍ୟ କାନ୍ତାର ଏବଂ ଗାଆଁ ମୁଣ୍ଡ ପୋଖରୀ କୂଳର

ଅସଂଖ୍ୟ ହଜିଲା ଛବି ସତେ ଅବା ଜୀବନ୍ତ ହେଉଛି

ସମୟ ଘୂମେଇ ପଡ଼େ ଅବସନ୍ନ ଆଖିରେ ଆଖିରେ

ବର୍ତ୍ତମାନ ହଜିଯାଏ ବିଶୃଙ୍ଖଳା ଅତୀତ ଦେହରେ ।

ଏ ବିଦଗ୍ଧ ଦ୍ୱିପ୍ରହର ମନେହୁଏ କେତେ ଯେ ବର୍ଷର

ସ୍ମୃତିକି ସଂଖାଳୀ କରି ଏବେ ମଧ୍ୟ ବଞ୍ଚିବାର ଇଚ୍ଛା

ନିଲଠା ମନରୁ ପୋଛି ଦେବା ପାଇଁ ଶତ ଚେଷ୍ଟା ସତ୍ତ୍ୱେ

ନିସ୍ଫଳ ହୋଇଛି ଯେଣୁ ଏ ରହସ୍ୟ ଛାୟାବାଜି ମିଶି

ସହସ୍ର ସ୍ମୃତିକୁ ଆକି ଉଜ୍ଜୀବିତ କରନ୍ତି ସମସ୍ତେ ।

ଭୟ ଓ ଉଦବେଗ ହୁଏ ଏକାକାର ନିସ୍ତରଙ୍ଗ କାମନାର ସୁଅ

ନିଜର ଗତିରେ ମଧ୍ୟ ଉତ୍ସୃଙ୍ଖଳ ସ୍ମୃତିର ସଂସ୍ପର୍ଶେ ।

☆☆☆

 

ତୁମେ ଏକ ଅଧ୍ୟୟନ

 

ପ୍ରେୟସୀ ରୂପରେ କେବେ ତୁମକୁ କେ ଦେଖିଥିଲା ଦିନେ

ଅଧରେ ଉଚ୍ଛଳ ହସ ଆଖିକୋଣେ ଭରା ମାଦକତା

ସରମ-ସାଉଁଲା କଥା ଥିରି ଥିରି କାନେ କାନେ କହି

ଅନେକ ଅନ୍ଧାର କାଟି ଆଣିଥିଲ ସ୍ନିଗ୍ଧ ସରସତା ।

ଆଜି ଯଦି କ୍ଳାନ୍ତି ଜମେ ଆଜି ଯଦି ଦୁର୍ବିସହ ଲାଗେ

ଏଘୋର ଜଞ୍ଜାଳ ଭାର ବ୍ୟର୍ଥତାରେ ଆତଯାତ ହୋଇ

ମୁଁ ତୁମଠି ଦେଖୁଅଛି କେତେଯୁଗ ସଂଚିତ ସ୍ୱପ୍ନର

ସମାଧି ହୋଇଛି ଶେଷ, ଯାହା କିଛି ପରମ ବାଞ୍ଛିତ

ସବୁକୁ ଦୂରରେ ଫିଙ୍ଗି ମଥାପାତି ନିର୍ମମ ଝଡ଼ର

ନିଷ୍କରୁଣ ନିର୍ଯ୍ୟାତନା ସହିଅଛ ହସ ହସ ମୁଖେ

ଅବାକ୍ ବିସ୍ମିତ ଭାବେ ରହି ପୁଣି ନିର୍ବାକ୍ ଓ ସ୍ଥିର ।

ମୋର ତେଣୁ ମନେହୁଏ, ତୁମେ ଏକ ବିକଳ ଆତ୍ମାର

ନୀରବ ପ୍ରତୀକ ନୁହଁ; ଯାହା କିଛି ତଥ୍ୟ ଓ ଦର୍ଶନ

ଜୀବନକୁ କେନ୍ଦ୍ର କରି ଆମର ଏ ସୌଦାଗରୀ ମନ

ଗଢ଼ିଛି, ତାହା ହିଁ ତୁମେ, ତେଣୁ ଏକ ସତ୍ୟ ଚିରନ୍ତନ ।

☆☆☆

 

ଘର

 

ନୂଆଁଣିଆ ଘର ଏକ ମୂକସାକ୍ଷୀ ଅନେକ ବର୍ଷର

ସେମିତି ରହିଛି ଠିଆ ଚାରିପାଖେ ନିଝୁମ ଅନ୍ଧାର

ତାକୁ ଘେରି ମାଡ଼ିଆସେ ଆଖି ମୋର ଅନ୍ଧହୋଇ ଆସେ

ସେ ଘର ଆକାଶ ଦୃଷ୍ଟି ସବୁ କ୍ରମେ ହୁଏ ଏକାକାର ।

ଆକାଶରେ ଜହ୍ନନାହିଁ ତାରା ସବୁ ସ୍ଥିର ଓ ନିର୍ବାକ

ମୋତେ ଚାହିଁ ରହିଛନ୍ତି ଅନ୍ଧକାର ଅରଣ୍ୟ ଉପାନ୍ତେ

ଶାନ୍ତ ଓ ସରଳ ଏକ ମୃଗଶିଶୁ ଜୀବନ ବିକଳ

ନିକ୍ଷିପ୍ତ ସହସ୍ର ଶର ବିଦ୍ଧ ହୁଏ ସତେ ବା ଯେପରି ।

ସେ ଦୁଃସହ ଯନ୍ତ୍ରଣାରୁ ସଂଜ୍ଞା ପାଇ ଆକି ମଳି ଦେଖେ

ମଧ୍ୟ ରାତ୍ରି ଥରି ଉଠେ ଅସହାୟ ଅଭୂତ କମ୍ପନେ

କୁହୁଡ଼ି କାକର ଭିଜା ପବନରେ ଆହତ ରାଗିଣୀ

ଭାସି ଭାସି ଆସେ କାହିଁ ତାର ଅବା ଆଦି ଅନ୍ତ ନାହିଁ ।

କଥା କହି ଶିଖୁଥିବା ଶିଶୁ ପରି ଅବୁଝା ବେସୁରା

ସେ ସ୍ୱରରେ ତାନ ନାହିଁ, ଲୟ ନାହିଁ, ଅନ୍ତରା ବି ନାହିଁ

ତଥାପି ମୋ ମନେ ହେଲା ଦିଗେ ଦିଗେ ତାହାର ବିସ୍ତାର

ପାହାଡ଼ୀ ଝରଣା ପରି କଳ କଳ ଉଦାସ ଉଚ୍ଚାଟ

ଅସ୍ପଷ୍ଟ କୁହେଳି ତଳେ ସେଇ ଘର କାନ୍ଥ ବାଡ଼େ ତାର

କେତେ ସ୍ମୃତି ଅଶ୍ରୁ କେତେ ହସ ଆଉ ବିଚ୍ଛେଦ ମିଳନ

ହୃଦୟର ଦିଆନିଆ ଦର୍ପଣରେ ପ୍ରତିବିମ୍ୱ ପରି

ଧୀରେ ଧୀରେ ସ୍ପଷ୍ଟ ହୁଏ ବ୍ୟାପ୍ତ ହୁଏ ରାତ୍ରି ଅନ୍ଧରେ ।

ସଜଳ ଆଖିରେ କେତେ ଅଭିମାନ ଆକୁଳ ଆକୃତୀ

କରୁଣ ବିଷନ୍ନ ମୁହେଁ କଥା କିଛି ବୁଝିବି ହୁଏନି

ସେଥିରେ ହଠାତ୍ କିନ୍ତୁ ମୋ ବ୍ୟକ୍ତିତ୍ୱ କୁହୁଳି କୁହୁଳି

ଜଳିବା ହିଁ ସାର ହୁଏ ଅସହାୟ ଅଶ୍ରୁ ଯେତେ ଢାଳି ।

ନିଜକୁ କେମିତି ଏଠି ବୁଝାଇବି ଜାଣି ମୁଁ ପାରୁନି

ନିଜକୁ କେମିତି କୁହ କହିବି ମୁଁ ଏ ଲୁହର ଅର୍ଥ କିଛି ନାହିଁ ।

ଏଇ ଘର ସମ୍ମୁଖରେ ଠିଆ ହୋଇ ରହିବା ସତ୍ତ୍ୱେବି

ମୁଁ ଖାଲି ଆସିଛି ଭାସି ନିତି ନିତି ଘଟଣା ସ୍ରୋତରେ

ସତ୍ୟାସତ୍ୟ ଜାଣିନାହିଁ କାର୍ଯ୍ୟ ଆଉ କାରଣ ଅଜ୍ଞାତ

ଅସମ୍ଭବ । ଶୀତରାତି ଶେଷ ହେବ, କୁହୁଡ଼ି କାକର

ସକାଳ ଖରାରେ ହସି ପୁଣି କାହିଁ ଅପସରି ଯିବ

ମୋ କାନରେ ସେଇ ଡାକ ବାରବାର ଉଦାସ ଉଚ୍ଚାଟ

ଏଇମିତି ଶୁଣୁଥିବି ଅମାନିଆ ଅଜସ୍ର ଲୋତକେ

ଏଠି କିନ୍ତୁ ରହିଥିବ ଏଇଘର ସ୍ମୃତି ତାର କାନ୍ତ ଇତିକଥା ।

☆☆☆

 

ପ୍ରସ୍ତାବ

 

ଯଦିବା ମନରେ ଆସେ କୁନି ତୁମ କାନ୍ଦୁଥିଲା ବେଳେ

ଯଦିବା ମନରେ ଆସେ ସେବର୍ଷର ଜାନୁଆରୀ

ବିପର୍ଯ୍ୟସ୍ତ ସ୍ମୃତି ଧରି ଫେରିଆସେ ଯଦିବା ଚେତନା

ସାହିତ୍ୟ ଦର୍ଶନ ଆଦି ଆଲୋଚନା,

ଯୁକ୍ତି ଯେତେ ନୀତି ଆଦର୍ଶର,

ହାତରେ ତୁମର ଯେବେ ଥରିଠେ ଚାହାପାତ୍ର

ଖସି ଯାଇ ଚୂନା ହୋଇ ଯାଏ

ଅବିଶ୍ୱସ୍ତ ସହରରେ ମୁଣ୍ଡ ପୋତି ଚାଲିବାର ଭୟ

ସବୁଗୁଡ଼ା ଭୁଲିଖାଲି, ବାଜେସବୁ, ତୁମେ କିଛି ଜାଣନାହିଁ

ସୁନାପିଲା ଅଲିଅଳ କିଛିତୁମେ ଜାଣନାହିଁ । ସେ ବର୍ଷା ବିରହ

ଧରିନିଅ ଖାଲିଗୋଟେ ବିକାର ଏ ଅଶାନ୍ତ ମନର ।

ସବୁ ଠିକ୍ କୁନି ମାମା ଚାକର ପୁଝାରୀ ଆଉ ନେଳି ଶାଢ଼ୀ

ରେଡ଼ିଓ ବା ଗୀତଶିଖା କଥା ।

ସାମୟିକ ବସିରହି ସଂଧ୍ୟା ଅବା ଦ୍ୱିପ୍ରହର ବେଳେ

କବିତାର ଚାକଚକ୍ୟ ଏସ୍‍ରାଜ୍‍ ଧ୍ୱନିତ ଝଙ୍କାରେ

ନିଜକୁ ଭୁଲାଇ ଦେବ ବେଶ୍ ଜହ୍ନ ଆଲୁଅର ତଳେ

ନିଜକୁ ଭୁଲାଇ ଦେବ ମଥାରଖି ବଳିଷ୍ଠ କା ପ୍ରଶସ୍ତ ଛାତିରେ

ନିଶବ୍ଦ ନିର୍ଜନ ରାତି ପ୍ରହରର ନିଝୁମ ଅନ୍ଧାରେ ।

ଗହଳ ବେଣୀରୁ ତୁମ ଝରିଝରି ଯିବ ଯେବେ

ନବବର୍ଷା ଆଦ୍ୟ ଆଷାଢ଼ର

ଅନେକ ରୌଦ୍ରରେ ଦଗ୍ଧ ଉତପ୍ତ ସେ ଉଷର ଭୂଇଁରେ

ଶସ୍ୟର ସବୁଜ ମାୟା ଭରିଦେଇ ପୋଛିଦେବ

ପୋଛିଦେବ ସବୁ

ଅତୀତର ନଷ୍ଟ ସ୍ମୃତି, ହା ହୁତାଶ ବ୍ୟର୍ଥ ପ୍ରଣୟର ।

ସେଠିବି ଉଠିବ ଜହ୍ନ ତୁମର ସେ ସୀମିତ ପୃଥ୍ୱୀର

ଆକାଶରେ ମଉଛବ ଲାଗିଥିବ ସହସ୍ର ତାରାର

ପବନ ଆସିବ ଦୂରୁ ଥିରିଥିରି ମନ୍ଥର ଗତିରେ

ଦ୍ୱାର ଝର୍କା ଖୋଲିଯିବ ତୁମେ ଯମା

ଡରିବନି ଚମକି ଯିବନି ।

କେହି ନୁହେଁ, ଆସିବନି କେହି ତୁମ ସୀମିତ ପୃଥ୍ୱୀରେ

ଚାରିପାଖେ ଶୋଇଥିବ କଲାରାତ୍ରି ତୁମରି ସେ ମୁକୁଲା ବେଣୀରେ

ଗହଳ ବିସ୍ତାର ପରି ଅସଂଯତ ଅନେକଟା ଆହତ ସ୍ୱପ୍ନରେ ।

☆☆☆

 

ଲିରିକ୍ (୧)

 

ସେଦିନ ଦେଖିଲ ଯେବେ

ବର୍ଷୁକ ମେଘକୁ ଚାହିଁ

ବସିଥିଲା ସେମିତି ଏକାକୀ

ଦୃଷ୍ଟି ତାର ଶୂନ୍ୟ, ସ୍ଥିର

ଜିତେନ୍ଦ୍ରିୟ ସତ୍ୟ ଦ୍ରଷ୍ଟା

କେଉଁ ଏକ ସାଧକର ପରି

ମୁକ୍ତ କରି ବାତାୟନ

ଗୁଣୁ ଗୁଣୁ ଗାଉଥିଲା ଅସ୍ପଷ୍ଟ ସଂଗୀତ

ତା କଣ୍ଠରେ ସମ୍ମାହିତ

ସତେ କେଉଁ ସାନ୍ତ୍ୱନାର ସ୍ପର୍ଶ

ଜୀବନର ସବୁ ଦୁଃଖ ଗ୍ଳାନି ସତ୍ତ୍ୱେ

ଥିଲା ତା ଠି ସାମାନ୍ୟଇ ହର୍ଷ

ମୋର ସେଇ ଉପସ୍ଥିତି

କାମ୍ୟ ତାର ଥିଲାକି ଜାଣିନି ।

ହଠାତ୍ ଦେଖିଲି ଚାହିଁ

ଶଙ୍ଖର ବାହୁକୁ ତାର

ଊର୍ଦ୍ଧ୍ୱେ ତୋଳି ଅଳସ ଆଖିରେ

ଅସ୍ପଷ୍ଟ ଅନେକ କଥା କହିଲା ସେ

ସେଦିନ ସଂଧ୍ୟାରେ

ହସି ହସି ସମ୍ୱର୍ଦ୍ଧନା ବେଳେ ।

☆☆☆

 

ଲିରିକ୍ (୨)

 

ଦୂରରେ ପାହାଡ଼ କାଟି ତୀକ୍ଷ୍ଣ ତାର ସୁଅର ଦାନ୍ତରେ

କ୍ରମେ ପୁଣି ପୁଷ୍ଟ ହୋଇ

ଏଇ ଯେଉଁ ନଈ ଆସେ ବହି

ତା କୂଳରେ ନୂଆଁଣିଆ ଚାଳଘର

କୁଦାମାରି ଖେଳୁଥାନ୍ତା ସେ ହୁଏତ ଗୋଳିଆ ପାଣିରେ

ସାଙ୍ଗ ସାଥି ଗହଣରେ ହସି ହସି

ବାଲିରେ ବାଲୁଙ୍କା ପୂଜି ଛୋଟ ଛୋଟ ଘର କେତେ କରି

ପୁଣି ସେବି ଭାଙ୍ଗୁଥାନ୍ତା ଗୀତ ଗାଇ ମନ ଫୁଲାଣିଆ

ଚିକ୍ ଚିକ୍ ପାଣିଖରା ଆସିଗଲେ ଘରମୁହାଁ ହୋଇ

ମନ୍ଦା ମନ୍ଦା ବାଲି ଛତୁ

ଓଉ ଆଉ କଦମ୍ୱର ମୂଳେ

ସାଉଁଟୁ ସାଉଁଟୁ ସିଏ

ହଠାତ୍ ଅଟକି ଯାଇ ଚାହୁଁଥାନ୍ତା ସାଧବ ବୋହୂର

ନାଲି ଗୁଲୁ ଗୁଲୁ ଦେହ ମୁଲାୟମ ରେଶମୀ ଶାଢ଼ୀକୁ ।

ସେ ସ୍ୱପ୍ନ ମରିଛି ତାର ସିଏ ଆଜି ବନ୍ଦୀ ହାୟ

ଆତ୍ମାହୀନ ଭୂତଙ୍କ ଗହଳେ ।

☆☆☆

 

ସେ ଓ ଅନ୍ଧାର

 

ସେଦିନ ଆସିଲା ସିଏ ରୁଣୁଝୁଣୁ ନ ଥିଲା ନୂପୁର

କୁସୁମର ମାଳା ହାତେ ଦେବାପାଇଁ ପ୍ରିୟର ଗଳାରେ

ଅଭିସାରିକାର ପରି ସେ ନ ଥିଲା କାବ୍ୟର ନାୟିକା

ଲାକ୍ଷା ରକ୍ତ-ରଙ୍ଗ ଲେପି ଥିରି ଥିରି ତା ପଦ-ପାତରେ ।

ସହଜ ସରଳ ଅତି ନିର୍ବିକାର ଆଡ଼ମ୍ୱର ହୀନ

ସମ୍ମୁଖେ ଆସିଲା ମୋର ବ୍ୟବଧାନ ମାତ୍ର କେଇ ହାତ

ସେମିତି ରହିଲା ଠିଆ ଯେତେ କୁହ ବ୍ୟଗ୍ରତା ବ୍ୟସ୍ତତା

ତ୍ରସ୍ତା ହରିଣୀର ଆଖି କିଛି ହେଲେ ଥିଲା ନାହିଁ ତା’ର ।

ନିଝୁମ ଅନ୍ଧାର କାଟି, ଶୀତରାତି, ଅସ୍ୱୀକାର କରି

ସେ ଦିନ ଆସିଲା ସିଏ, ଅନାଶକ୍ତ, ଶ୍ୱେତ ବସ୍ତ୍ରାନ୍ୱିତା

ଅଯତ୍ନ ଚିକୁର ତା’ର ଉଡ଼ୁଥିଲା ଆନତ କପୋଳେ

ତା କଣ୍ଠରେ ଥିଲା ଭରି ଅସ୍ପଷ୍ଟ ବି ଅନେକ କବିତା ।

ମୁଁ ଚମକି ଚାହିଁଦେଲି, ଅନ୍ଧାକାରେ ମୁହୂର୍ତ୍ତକ ପାଇଁ

ଆଖିମୋର ଅନ୍ଧ ହେଲା, ଦୀପ୍ତ କେଉଁ ଆଲୋକର ସ୍ରୋତ

ସତେବା ଆସିଲା ବହି ଏ ମରୁର ଯେତେ ଗ୍ଳାନି ଅନ୍ଧକାର

ଦେବା ପାଇଁ ଧୋଇ ।

ତା’ପରେ ଡାକିଲି ଖୁବ୍, ଆରେ ଆସ, ବସ, କଥା କୁହ,

କଥା କୁହ, ଗୀତ ଗାଅ ରାତି ଲାଗେ ଅସହାୟ ଭାରୀ

ସେମିତି ଚାହିଁଛ କ’ଣ ? ଶୁଣ ! ଆରେ କୁହ, କଥା କୁହ ।

ରାତି କ୍ରମେ ବଢ଼ୁଥିଲା ଘେରି ଦିଗ ଆକାର ପ୍ରକାର

ଅନ୍ଧକାର ମାଡ଼ୁଥିଲା ମୁଁ ସେମିତି କହି ଚାଲିଥିଲି

ଆସ କୁହ କଥା କୁହ, ଏ ଅନ୍ଧାର ରାତି ଯାଉ ସରି ।

ସିଏ ଖାଲି ଚାହିଁ ରହି ନିର୍ବିକାର, ସ୍ଥିର ଓ ନିର୍ବାକ

ହୁଏତ ବି ଦେଖୁଥିଲା ଅନ୍ଧାରର ବହଳ ବିସ୍ତୃତି

ଅସହାୟ ବ୍ୟକ୍ତିତ୍ୱ ମୋ, ସତ୍ତା ମୋର ହଜିଗଲା ବେଳେ

ହାୟ, ମୁଁ ପାରୁନି ଜାଣି ! ସତେ ସେକି ପାଉଥିଲା ତୃପ୍ତି ?

ରାତ୍ରି ଶେଷ ନ ହେଉଣୁ ସିଏ ଏକ ନିସ୍ତବ୍ଧ ପ୍ରହରେ

ସହସା ନିଷ୍କ୍ରାନ୍ତ ହେଲା, ଦୂରେ ଅବା ଆକାଶ ନୀଳରେ

ବୁଡ଼ିଗଲା, କୋଟି କୋଟି ଗ୍ରହ ତାରା ମେଳେ

ଦୃଷ୍ଟିର ଦିଗନ୍ତେ ମୋର ସେ ରାତିର ନିଝୁମ ଅନ୍ଧାରେ ।

ପୁଣି ଯେବେ ରାତି ଆସେ, ପୁଣି ଯେବେ ଘେରେ ଅନ୍ଧକାର

ମୋ ସମ୍ମୁଖେ ଆସି ସିଏ ଉଭା ହୁଏ ଏଠି ବାର ବାର ।

☆☆☆

 

ପର୍ଦ୍ଦା

 

ଏ ଗୋଟେ ନିଶ୍ଚଳ ପର୍ଦ୍ଦା

ରାତ୍ରି ମାତ୍ର ସାତଟା ପନ୍ଦର

ଆକାଶରେ ମେଘ ନାହିଁ, ଜହ୍ନନାହିଁ ଅଳ୍ପକିଛି ତାରା

ସବୁତ ନିସ୍ତବ୍ଧ ମୂକ

ଯେମିତି ଏ ଛୋଟିଆ ବଖରା

ସବୁତ ନିସ୍ତବ୍ଧ ମୂକ,

କିଚିମିଚି ବହଳ ଅନ୍ଧାର

ମୁଁ ଚମକି ଫେରିଚାହେଁ

ଆସିଲାକେ, ନାହିଁ କେହି ନାହିଁ ।

ବାହାରେ ନିଝୁମ ରାତି ହାଇମାରି ପଡ଼ିଛି ଢୁଳାଇ ।

ଏଣେ ତେଣେ ବଣ ବୁଦା

ଆମ୍ୱ ତୋଟା, ଗୋହିରୀ ଟାଙ୍ଗର

ଖୁବ୍ ସାନ ଗାଆଁ ଏକ, ତା ପାଖରେ କଳ କଳ ଗାଇ

ପାହାଡ଼ି କନ୍ୟାର ପରି ଢଳି ଢଳି ଧୀରେ ଯାଏ ବହି

ଅଙ୍କାବଙ୍କା ସରୁ ଧାର ନଈ ।

ଦେହେ ଦେହେ ବିପୁଳ ଚମକ

ଅଳସ ଉଦାସ ମନ

ଏ ବର୍ଷ ବି ଜାଗିଛି ଯୌବନ ।

ଏତେବେଳେ ବହୁ ଦୃଶ୍ୟ

ବହୁସ୍ୱପ୍ନ ଛାଇ ହୋଇଯାଏ

ଝିଲିମିଲି ପର୍ଦ୍ଦା ନାଚେ

ବ୍ୟସ୍ତ ଆଉ ବିବ୍ରତ ବି କରେ ।

ଦୂରର ନିସ୍ତବ୍ଧ ଗାଆଁ କେତେ ଯେ ମାଇଲ୍

ତାର ପୁଣି ଏତେ ଚିତ୍ର ଏତେ ସ୍ମୃତି

ଅବ୍ୟକ୍ତ ମଉନ

ଚାରିଆଡ଼େ ଶୂନଶାନ୍‍

ମୁଁ କିନ୍ତୁ ଯେ, ମୁଗ୍ଧ ଓ ଚକିତ

ଏ ପର୍ଦ୍ଦାର ଦୃଶ୍ୟ ସବୁ

ମନେ ଅତି ପରିଚିତ ହୁଏ ।

☆☆☆

 

ଦୃଷ୍ଟି

 

ସେ ବି ଦିନେ ହସୁଥିଲା ଶିଶୁପରି ନିରୀହ ଚପଳ

ଫୁଲ ଏକ ସତେ ଅବା ସୂର୍ଯ୍ୟ-ସ୍ନାତ ଦେହେ ମନେ ତାର

ବର୍ଣ୍ଣଳ ବିଭବ ଧରି କରୁଥିଲା ଅତିଥି ଅର୍ଚ୍ଚନା

ପ୍ରୀତିର ପ୍ରତୀତି ଲୋଡ଼ି, ଛନ୍ଦତୋଳି ଆଶା, ଆଲୋକର ।

ସେ ନିଆଁ ଲିଭିଛି ଆହା ରୂପ ଏବଂ ବିଭବର ନିଆଁ

କୁଞ୍ଚିତ କେଶରେ ତାର ସମୟର କୁହୁଡ଼ି କାକର

ଯେତେ ସବୁ ହଜିଅଛି ଆସ୍ଫାଳନ ଆତ୍ମ ପ୍ରତାରଣା

ମୁହୂର୍ତ୍ତର ଆବେଗ ଓ ଉନ୍ମାଦନା ଅଶାନ୍ତ ମନର ।

ବିସ୍ମୃତିର ବାଲି ତଳୁ ନୂଆକିଛି ପାଇବା ଆଶାରେ

ଆମେ ସବୁ ଯେଉଁମାନେ ଅତୀତକୁ ଉଖାରି ଉଖାରି

ଆପ୍ରାଣ ଉଦ୍ୟମ କରୁ ସୂଚତୁର ବିବେକୀ ବୋଲାଇ

କେବଳ ହିଁ ସାର ହୁଏ ମନସ୍ତାପ ଖାଲି ଆତ୍ମଗ୍ଳାନି ।

ବରଂ ଏଠି ଶ୍ରେୟସ୍କର ନୂତନର ଆସ୍ୱାଦନ ପାଇଁ

ଅମଡ଼ା ବାଟରେ ଯିବା କ୍ଷୁଦ୍ର ଆମ ପାଦଚିହ୍ନ ଥୋଇ ।

☆☆☆

 

ପ୍ରଜାପତି

 

ସେଇ ଯେଉଁ ପ୍ରଜାପତି ବହୁବର୍ଣ୍ଣେ ଚିତ୍ରିତ ଡେଣାକୁ

ଶାଗୁଆ ଘାସର ଘସି ଗଛୁଁ ଗଛେ ଉଡ଼ି ଉଡ଼ି ଯାଏ

ସକାଳ କଅଁଳ ଖରା ଥିରିଥିରି ପବନ ଦୋଳାରେ

ଯେବେ ସିଏ ଖେଳ ଖେଳେ

କେତେ ସ୍ମୃତି ଛାଇ ହୋଇଯାଏ ।

ସେଦିନ ପଡ଼ୁଛି ମନେ (ପ୍ରଜାପତି ଉଡ଼ିଗଲା ବେଳେ)

ନିହାତି ନିଜର ଭାବି ଏ ଘରର ଝର୍କା ଦେଇ ଆସି

ସେ କେମିତି ଧରାଦେଲା ଅମାୟିକ ସାନ ପିଲାପରି

ମସୃଣ ରେଶମୀ ଦେହେ ମୁହୂର୍ତ୍ତକେ ଧରିଲା ଆଶ୍ଳେଷି

ତାପରେ କହିଲା ଧୀରେ (ମୁହଁ ତାର ନଇଁ ଆସିଥିଲା)

ସତେ ଅବା ଜଳିଗଲା ସରମରେ ଚପଲା କିଶୋରୀ

ସଂଚିତ ଅନେକ ବ୍ୟଥା କେତେ ବର୍ଷ କେତେ ଯେ ଯୁଗର

ଅବସନ୍ନ ଡେଣା ତାର ଥରୁଥିଲା ଦୁଃଖ ଓ ଭୟରେ ।

 

ସେ ମୁହୂର୍ତ୍ତ ବିନିମୟେ ପାଇଲା ସେ ପରମ ଆଶ୍ରୟ

ମୁହୂର୍ତ୍ତର ବିନିମୟେ ଆଦିଗନ୍ତ ବ୍ୟାପ୍ତ ଚରାଚର

ତା ଦୃଷ୍ଟିରେ ସ୍ପଷ୍ଟ ହେଲା ଲୁପ୍ତ ପ୍ରାୟ ବହୁରୂପ କଳ୍ପ

ସେ ସବୁକୁ ଅନୁସରି ମୁକ୍ତ କରି ବନ୍ଧନର ସୂତ୍ର

ଉଡ଼ି ଉଡ଼ି ବୁଲେ ସେକି ମୋ ଦୃଷ୍ଟି ସୀମାନ୍ତେ

ଏଇ ନୀଳାକାଶେ ସଂଗୀତ ଲହରେ ।

☆☆☆

 

ସେ

 

ସେ କେବଳ ଚାହିଁ ରହିଥାନ୍ତି

ତାଙ୍କର ମୁଖାମୁଖୀ ହେବା ଆଗରୁ ମୁଁ ଭାବୁଥିଲି

ଆହା କେତେ ଜାତିର ଫୁଲ ଗୁଡ଼ା ଫୁଟିଛି

ସେମାନଙ୍କ ମଝିରେ ମଝିରେ ପ୍ରଜାପତି ସବୁ

ଚିତ୍ରିତ ଡେଣାକୁ ଦୋହଲାଇ ଉଡ଼ି ବୁଲୁଛନ୍ତି ।

ଯଦି ଏ ଫୁଲଗୁଡ଼ାକ ଦଳିଦିଏ

ସେ କ୍ଷୁବ୍ଧ ହେବନି ତ !

ମୋର ସତେ ଭାରି ଈର୍ଷା ହେଲା

ଫୁଲଗୁଡ଼ାଙ୍କର ଆକର୍ଷଣ ମୁଁ ସହ୍ୟ କରି ପାରିଲିନାହିଁ

ମୋର ସମସ୍ତ ଶକ୍ତି ବିଦ୍ରୋହୀ ହେଲା ।

ଉପରେ ଦେଖିଲି ଆକାଶ କ୍ରମେ ମେଘାଚ୍ଛନ୍ନ ହେଉଛି

ଶକ୍ତି ସଂଚୟ କରି କେତୋଟି ମୁହୂର୍ତ୍ତରେ

ଫୁଲଗୁଡ଼ାକ ନଷ୍ଟ କରିଦେଇ ମୁଁ ପୁଣି ଚାହିଁଲି

ସେ କେବଳ ଚାହିଁଥାନ୍ତି

ସେ କେବଳ ହସୁଥାନ୍ତି

ତାଙ୍କ ହସ କ୍ରମେ ସମସ୍ତ ଆକାଶ ପବନରେ ପରିବ୍ୟାକ୍ତ ହେଉଥିଲା

ମୁଁ ଫେରି ଆସୁଥିଲି ।

ପଛରେ ମୋର ବିପର୍ଯ୍ୟସ୍ତ ଭାବରେ

ପଡ଼ି ରହିଥିଲା ଅସଂଖ୍ୟ ଫୁଲ

ସେ ସେମିତି ହସୁଥାନ୍ତି

ଉପରେ ସ୍ପଟିକ-ଆକାଶରେ

ପ୍ରଜାପତିଗୁଡ଼ା ଚକ୍କର ମାରୁଥିଲେ ।

☆☆☆

 

ସୀମା ଓ ସନ୍ଧାନ

 

ସହରର ଅସହାୟ ରାତି

ଏ ପ୍ରକୋଷ୍ଠ ଯଦିଓ ଏକାକୀ

ମୁଁ ଚାହୁନି ମୁକ୍ତି ଏଠୁ

ମିଶିବାକୁ ଜନତାର ମେଳେ

ମିଥ୍ୟାର ବଜାରେ ବୁଲି

ଭାଟ ପରି କରିବାକୁ ସତ୍ୟର ବନ୍ଦନା !

 

ଏବଂ ତା ପରେ–

ଅସୁସ୍ଥ ଶରୀରେ ମୋର

ଝାସଦେଇ ଅସହାୟ ପତଙ୍ଗର ପରି

କରିବାକୁ ମରଣ ବରଣ

ଈଷ୍‍ତ ହସରେ ତୁମ

ଅବା କିଛି ଆଖିର ଲୁହରେ

ମୋର ଏ କ୍ଷୋଭ ଏ ଯାବତ ଅବସାଦ

ମୋଠାରେ ସୀମିତ ରହୁ ଗୋ

ମୋର ଯେତେ ସ୍ୱପ୍ନ ଆଉ ସତ୍ୟ ପାଇଁ

ଯେତେକ ସଂଗ୍ରାମ

ମଥାପିଟି ହୁଏତ ବିଲୋପ ହେଉ ଶଯ୍ୟା ଧାରେ ଧାରେ

ମୁଁ ସେଥିରେ ତୃପ୍ତ

କାରଣ ସେ ସବୁତ ମୋଠୁ ବିଛିନ୍ନ ନୁହେଁ ।

☆☆☆

 

ମେଘ

 

ମେ ମାସ ସକାଳର କ୍ରମାଗତ ଅସହ୍ୟ ଉତ୍ତାପ

ମଝିରେ ଆକାଶେ ଆଜି ହଠାତ୍ ଏ ମେଘର ଆସର

ଉଷର ଅରଣ୍ୟ ଘେରି ଘେରି ଦୂର ପଲ୍ଲୀ ଓ ପ୍ରାନ୍ତର

ଅପ୍ରଶସ୍ତ ସହରର ଗଳିକନ୍ଦି ବସ୍ତି ଓ ରାସ୍ତାରେ

ବର୍ଷା ଏଇ ଝରିଯାଏ; ଗଛପତ୍ରେ କି ମହା ସଙ୍ଗୀତ

ଛନ୍ଦିତ ଲହରେ ହଜେ ପୃଥିବୀର ବ୍ୟର୍ଥ ଅହଙ୍କାର

ଶଙ୍କିତ ଦହନ ଜ୍ୱାଳା ମୋ ମନରେ ଅଜସ୍ର ଭାବନା

ଆଶା ଓ ଆଶଙ୍କା ସତ୍ତ୍ୱେ ଏ ବର୍ଷାର ନୀରବ ଆହ୍ୱାନ

ବହୁଧା ବିଦୀର୍ଣ୍ଣ କରେ ନଷ୍ଟ ସ୍ମୃତି କେତେ ଯେ ଦିନର

ହଠାତ୍ ଜୀବନ୍ତ ହୁଏ ମୁଁ ଦେଖୁଛି ବିସ୍ମିତ ଅବାକ୍

ସାଙ୍ଗସାଥୀ ଗହଣରେ ଗାଁ ଦାଣ୍ଡ ଧୂଳି ଖେଳ ଲାଗେ ।

ଯେତେବେଳେ ସେ ପଟରୁ ଘୋଟି ଆସେ କଳା ମେଘ ମାଳା

ପୁଣି କିଏ ହଜିଯାଏ କେଉଁଠି ତା ସନ୍ଧାନ ମିଳେନି

ଦୃଷ୍ଟି କ୍ରମେ ଝାପ୍‍ସା ହୁଏ ଏବଂ ଏକ ପ୍ରଚ୍ଛନ୍ନ କୁହେଳି

ଭିତରେ ଅସ୍ପଷ୍ଟ ହୁଏ ମୁହଁ ସବୁ କେତେ ଯେ କାହାର

ସ୍ତବ୍ଧ ହୁଏ କୋଳାହଳ, ମୁହୂର୍ତ୍ତର ନୀରବ ରାଜୁତି

ସମୟ ମୁଖର ହୁଏ ବେଗବାନ୍ ମାଇଲ୍ ମାଇଲ୍

ଦୂରତ୍ୱର ବ୍ୟବଧାନ ଅତିକ୍ରମୀ ଦୃଷ୍ଟିର ସୀମାନ୍ତେ ।

ସେ ଯେଉଁ କରୁଣ ମୁହଁ ବିଷନ୍ନ ଓ ବେଦନା ଜର୍ଜର

ଆଖିରୁ ଲୋତକ ଢାଳି ଗଣୁଥିଲା ବରଷାର ଧାରା

ଯେତେବେଳେ ଫୁଲସବୁ ଝରୁଥିଲେ କଦମ୍ୱ ବନରେ

ସ୍ମୃତି ଓ ବିସ୍ମୃତି କରି ଏକାକାର ଦିଗନ୍ତ ଅୟନେ

ଆସ୍ତେ ଲୁଚି ଯାଉଥିଲା ମନର ସେ ସବୁଜ ବିସ୍ତୃତି

ତାକୁ ଦେଖି ପାରୁଥିଲି କେଉଁ ଏକ ଅକଥ୍ୟ ଦୁଃଖରେ ।

ଏ ବର୍ଷା ହୁଏତ ଦିନେ ଅକସ୍ମାତ୍ ଆମକୁ ଏକତ୍ର

କେତୋଟି ମୁହୂର୍ତ୍ତ ପାଇଁ କରିଥିଲା ସଜଳ ସଂଧ୍ୟାରେ

ବାହାରେ ଅନ୍ଧାର ମାଡ଼ି ଆସୁଥିଲା ଅହେତୁକ ଝଡ଼

ନିଷ୍ପ୍ରଭ ଆଲୋକେ ତୁମେ ଚାହିଁଥିଲ ଉଦାସ ଆଖିରେ

ସେ ଦିନର ସ୍ୱପ୍ନ ଯଦି ତୁମେ ବେଶ୍ ପୋଛି ଦେଇପାର

ଅସଂଲଗ୍ନ ସ୍ମୃତି ଯେତେ ତୁମଲାଗି ଅଭିଶାପ ହୁଏ

ମୁଁ କିଆଁ ପାରୁନି କରି ଅସ୍ୱୀକାର ଆଜି ଏ ବର୍ଷାରେ

ଅଜସ୍ର ଆଗ୍ରହ ନେଇ ନାଚି ନାଚି ପାଗଳ ହେବାକୁ

ଭାରି ମୋର ଇଚ୍ଛାହୁଏ ସକାଳର ଆସକ୍ତି ଭିତରେ ?

☆☆☆

 

ଆମେ

 

ତୁମକୁ ଜାଣିଛି ଏହା କହିବାକୁ ମାଡ଼େ ମତେ ଡର

ଦୁନିଆଁରେ ଯେଣୁ ମିଳିନାହିଁ ସେଇ ଅଧିକାର

ରହିଅତି ନିରୁଦବେଗ ନିର୍ବିକାର କେତେ ଯେ ଭାବରେ

ମୁଁ ଯମା ପାରୁନି କହି ତୁମ ସ୍ମୃତି ପାରୁନାହିଁ ଥରେ ।

ନ କହୁ ଦୁନିଆ ପଛେ ମୁଁ କି କେବେ କହିନି କି କାନେ

ଥିରିଥିରି କେତେ କଥା ସଞ୍ଜେ ଅବା ସକାଳେ ଗୋପନେ ?

କେତେ କି ମୌସୁମୀ ହୋଇ ରୁକ୍ଷ ଶୁଷ୍କ ସାହାରା ବୁକୁରେ

କହିନି ବର୍ଷାର କଥା ରୁଣୁଝୁଣୁ ସଂଗୀତ ଛଳରେ ?

ବିକ୍ଷୁବ୍ଧ ପ୍ରହରେ ଅବା କ୍ଳାନ୍ତ ସୂର୍ଯ୍ୟ ଅସ୍ତଗଲାବେଳେ

ତୁମରି କୁମାରୀ ମନେ ପ୍ରୀତିପୂର୍ଣ୍ଣ ଅଜସ୍ର ସପନେ

ମୁଁ କଣ ଉଠିନି ଜାଗି ଯୌବନର ଅଦ୍ୟ ସମାରୋହେ

କେବେ କି ପ୍ରତୀକ୍ଷମାଣା ଅନପେକ୍ଷ ଅମାପ ପ୍ରତ୍ୟୟେ ?

ଆରକ୍ତ ଓଠରେ ତୁମ ଭରି ଦୂର ଅରଣ୍ୟର ଗନ୍ଧ

ମୁହଁରେ ନୂତନ ଭାଷା କଣ୍ଠ ତଯେ-ନିତ୍ୟ ନବ ଛନ୍ଦ;

ମୁଁ କଣ ଆଣିନି ତୁମେ ପାରିବକି କରି ଅସ୍ୱୀକାର

ଉଜ୍ଜ୍ୱଳ ଆଲୋକ ସ୍ରୋତ କରି ଗ୍ଳାନି ଅନ୍ଧକାର ଦୂର ?

ତଥାପି କାହିଁକି ଆଜି ପ୍ରଶ୍ନ ଜାଗେ ସମାଧାନ ପାଇଁ

ଆଖିରେ ଲୋତକ ଜମେ ସତେ କଣ ମୁକ୍ତି ଆମେ ନାଇଁ

ଆମେ କି ନିସ୍ପନ୍ଦ, ସ୍ଥାଣୁ ରହିଅଛେ ଶୂନ୍ୟତା ଆବୋରି

ଚାରିପାଖେ ଅବରୁଦ୍ଧ ଶୂନ୍ୟତାର ଜାଗ୍ରତ ପହରୀ ?

ଏଥିରୁ ମୁକ୍ତି କି ନାହିଁ ମୂଲ୍ୟହୀନ ଜୀବନର ଗୀତ

ସବୁକି ଅନିତ୍ୟ, ମିଥ୍ୟା ମର୍ମଦାହ କେବଳ ହିଁ ସତ !

ଆମେ ଯଦି ସତ୍ୟ ନୁହେଁ, ସତ୍ୟ ନୁହେଁ ସମ୍ପର୍କ ଆମର

ଜାଗତିକ ବନ୍ଧନର କରି ଘୃଣ୍ୟ ସଂକୀର୍ଣ୍ଣତା ଦୂର

ଜୀବନ ଜ୍ୱଳନ ହେଉ, ଜ୍ୱଳନରେ ଆଲୋକ ସଂଚାରି

ଆମରି ପୂର୍ଣ୍ଣତା ହେଉ ପ୍ରୀତି ଏବଂ ପ୍ରଣୟ ପ୍ରସାରି ।

☆☆☆

 

ପାହାଚ

 

ଚତୁର୍ଦ୍ଦିଗେ ଅଭେଦ୍ୟ ଓ ଅସହ୍ୟ ସେ ଅନ୍ଧାର ଭିତରେ

ଯଦିଓ ଅସ୍ପଷ୍ଟ ସବୁ ସେ ବସ୍ତିର ଘରଦ୍ୱାର ଝର୍କା

ପରିଚିତ ରାସ୍ତାବାରି ସେ ପଥର ପାହାଚ ଉପରେ

ପାଦ ଦେଲି, ଯେତେବେଳେ ହଠାତ୍ ଯେମିତି

ଦୃଶ୍ୟ ସବୁ ବଦଳିଲେ ଅଦୂରରେ ଗଛଗୁଡ଼ା ଥାଇ

ଖୁବ୍ ଜୋର ଥରିଗଲେ ଏବଂ ଠିକ ପର ମୁହୂର୍ତ୍ତରେ

ମାଟି ମଧ୍ୟ ଘୂରିଗଲା ମୋର ନାନା ଉଦ୍ୟମ ସତ୍ତ୍ୱେ ବି ।

ନିଷ୍ପ୍ରାଣ ପଥର ଖଣ୍ଡ ସବୁ ଭାରି ସହିବା ଆଗରୁ

ଯେମିତି ଜୀବନ ପାଇ ଛାତିଫଟା ବିକଳ କାନ୍ଦଣା

ଶବ୍ଦରେ ବହୁଧା କରି ବିଦୀର୍ଣ୍ଣ ମୋ ବିଚ୍ଛିନ୍ନ ବ୍ୟକ୍ତିତ୍ୱ

ସମ୍ପର୍କ ଜାହିର୍ କଲା-ଅବାକେଉଁ ବିବାହିତା ଆତ୍ମୀୟା ତରୁଣୀ

ଦାରୁଣ ବୈଧବ୍ୟ ଭୋଗି ଯେମିତି ମୋ ସମ୍ମୁଖେ ଆସିବା

ସହ୍ୟ କରି ପାରୁ ନାହିଁ ଅକଥ୍ୟ ସେ ଦୁଃଖ ଓ ଲଜ୍ଜାରେ ।

ପଥର କହିବ ବ୍ୟଥା, ଆଦୌ ମୋର ବିଶ୍ୱାସ ହେଲାନି

ଫଗୁଣର ପତ୍ର ଝଡ଼ା ପରେ ମଧ୍ୟ ସେମିତି ସେ ଗଛ

ଆଶ୍ଚର୍ଯ୍ୟ କମ୍ପନେ ଥିବେ ଏହା ମୋର କଳ୍ପନା ବାହାର

ତେଣୁ ପାଦେ ଆଗେଇଲି ଆଉ ଏକ ନିଷ୍ପ୍ରାଣ, ପାହାଚ;

ଚିହ୍ନାଘର ନିଶ୍ଚୟତ ସେଠି କିନ୍ତୁ ଆଲୋକର ଚିହ୍ନ

ନାହିଁ । ବହୁ କୋଳାହଳ, ଅସହିଷ୍ଣୁ ବ୍ୟସ୍ତତା ମଝିରେ

ପ୍ରାଣର ପ୍ରତ୍ୟୟ ନାହିଁ । ମୁହଁ ନାଇଁ,

ନାଇଁ ସେଇ ପ୍ରତୀକ୍ଷା ଆଖିର

(ଯାହା ନିଜେ ତିଳ ତିଳ ଜଳି ଜଳି ଅନ୍ଧାରକୁ ନିଃଶେଷିତ କରି

ମୋ ସମ୍ମୁଖେ ଆସୁଥିଲା) ଆତ୍ମାହୀନ ଭୂତଙ୍କ ରାଜୁତି;

ନିଜର ସ୍ୱରୂପ ନାହିଁ, ସ୍ଥିତି ନାହିଁ, ଶୂନ୍ୟ ! ମହାଶୂନ୍ୟ !!

ଅନ୍ଧାର ନିଜର କରି ଅପନ୍ତରା ଦୁର୍ଗମ ରାସ୍ତାରେ

ପଛକୁ ଫେରିଲା ପାଦ; ବନ୍ଦହେଲା ପାହାଚ କ୍ରନ୍ଦନ

ଆକାଶ ନିସ୍ତବ୍ଧ, ସ୍ଥିର, ଜହ୍ନ ନାହିଁ ଇତସ୍ତତ ତାରା

ଗଛ ସବୁ ଦୁଇ ପାଖେ ମୋ ରାସ୍ତାର ଦୂରେ ଓ ନିକଟେ

ଅଶ୍ଳୀଳ ବିଦ୍ରୂପ ହସ ହସୁଥିଲେ, ମଝିରେ ମଝିରେ

ଫୁସ୍‍ଫାସ୍‍ କଥାବାର୍ତ୍ତା କରୁଥିଲେ କମ୍ପନ ରହିତ

ଯେମିତି ନ ଥିଲା କିଛି ଗ୍ଳାନି କିମ୍ୱା ଭୟର କାରଣ

କିଛି ସମୟର ପୂର୍ବେ; ଠିକ୍ ସବୁ, କିଛି ଘଟିନାହିଁ ।

☆☆☆

 

କୁନି ଓ ଜହ୍ନ

 

ଆକାଶରେ ଜହ୍ନ ଦେଖି କୁନି ମୋର କାନ୍ଦିଲା ସେଦିନ

ସେ ଜହ୍ନକୁ ଡାକି ଏଠି ଖେଳିବାକୁ ଧୂଳିଘର ଖେଳ

ଜହ୍ନ କାହିଁ କେତେଦୂରେ କୁନି ଅବା ଜାଣିବ କିପରି

କିପରି ଜାଣିବ ସତେ ଆକାଶ ଓ ପୃଥିବୀ ଦୂରତ୍ୱ !

କୁନିର ବୁଝିବାଭଳି ଡାକିଲି ସେ ଜହ୍ନକୁ ମୁଁ କେତେ

ଆ’ଥରେ ଖେଳିବୁରେ ଏ ମାଟିରେ ବରଫ ଧବଳ

କିରଣ ବିଛାଡ଼ି ତୋର କୁନି ମୋର ତୋ ସାଥେ ଖେଳିବ

ଟିକି ହାତ ଗୋଡ଼ ତାରହେବାଯାଏ କ୍ଳାନ୍ତ ଓ ଅବଶ ।

ସେ ଜହ୍ନତ ଆସିଲାନି; ମୋ କୁନିର ଅବୁଝା ମନର

କାନ୍ଦଣା ଥମିଲା ଯାଇ କେତେକାଳ ବିତିଗଲା ପରେ

ଗୋଡ଼ହାତ ଜାକିଯୁକି ଆହା କେଡ଼େ ନିରୁପାୟ ହୋଇ

ହଠାତ୍ ପଡ଼ିଲା ଶୋଇ ଅନେକଟା ଦୁଃଖ ଓ ଭୟରେ ।

ଆକାଶରେ ଜହ୍ନ ଆଉ ମୋ କୁନିର ଆଗ୍ରହ ନ ଥିଲେ

ଏ ପୃଥିବୀ ହୋଇଥାନ୍ତା ଆମପାଇଁ କେଡ଼େ ଦୁର୍ବିସହ

ଆଜି ମୁଁ ପାରୁଛି ଜାଣି ଏଠି ଯେବେ ଦେଖୁଛି ନିଜକୁ

ମୁହୂର୍ତ୍ତରେ ଦର୍ପଣରେ ବ୍ୟଥାତୁର ରାତିର ଅନ୍ଧାରେ ।

☆☆☆

 

ଆକାଶେ ଅନେକ ତାରା

 

ଆକାଶେ ଅନେକ ତାରା ଏଠି ମୋର ଚାରିପାଖେ ଦେଖେ

ଦୃଷ୍ଟି ଓ ଦିଗନ୍ତ ଘେରି ପରିବ୍ୟାପ୍ତ ଶୂନ୍ୟ ! ମହାଶୂନ୍ୟ !!

ଏ ବେଳେ ହଠାତ୍ ଯଦି ମୁଁ ତୁମର ସତ୍ତା ଖୋଜିବସେ

ସବୁଦେଖେ ସ୍ତବ୍ଧ ସ୍ଥିର ଏ ସହର ଅବା ମୋହାଚ୍ଛନ୍ନ ।

ପୁଣି ଆସି ଶୀତଋତୁ, କେଡ଼େ ବର୍ଷ ସରିଗଲା

ପତ୍ର ସବୁ ଝରିଗଲା, ଗଛେ ଗଛେ ଫୁସ୍‍ଫାସ୍‍ କଥା

ଆଉ ଶୁଣାଯାଉ ନାହିଁ ହଜିଗଲା ପ୍ରାଣର ଚେତନା ।

ଅସହାୟ ଏ ମଣିଷ ଭ୍ରାନ୍ତ ଯେତେ ନୀତି ଓ ଦର୍ଶନ ।

ସବୁ ଯଦି ଶେଷହୁଏ, ଆମେ ତାର ସଂକେତ ପାଏନି

କେବଳ ନିମିତ୍ତ ମାତ୍ର ହେବାପାଇଁ ନିରୀହ ଶିକାର

ଆମେକି ପାରିବା ନାଇଁ କରି କେତେ ମୁହୂର୍ତ୍ତ ଜୀବନ୍ତ

ସୀମିତ ଏ ପୃଥିବୀରେ ଭରିଯେତେ ନିର୍ଯ୍ୟାସ ପ୍ରାଣର ?

ଆକାଶେ ଅନେକ ତାରା ମନେହୁଏ ତୁମରି ସ୍ମୃତିର

ନୀରବ ପ୍ରକାଶ ସବୁ, ଦୂର କରି ରାତ୍ରିର ଅନ୍ଧାର ।

☆☆☆

 

କୋଳାହଳ

 

ହେ ଅସ୍ୱସ୍ଥିକର କୋଳାହଳ

ହେ ଅସହିଷ୍ଣୁ ବ୍ୟସ୍ତତା

ଆଜି ଏକାଗ୍ରତାର ବିରକ୍ତି ଭିତରେ

ମୁଁ ମଧ୍ୟ ବେଳେ ବେଳେ ଶ୍ୱାସ ରୁଦ୍ଧ ହୁଏ–

ଏକଦା ହିଂସ୍ର ବ୍ୟାଘ୍ର

ସର୍କସରେ ବନ୍ଦୀ ହୋଇ ଖୁବ୍ ଶାନ୍ତ ଓ ସରଳ ହୋଇଥିଲା ପରି ।

ମୋର ଗତାନୁଗତିକ ପରିବେଶରେ ମୁଁ

ନିଜକୁ ପୁଣି ଅଭିଶପ୍ତ ବୋଲି ଭାବୁଛି ।

ଏଠି ଯେତେବେଳେ ଏ ଶୀତ ରାତିଟା

ଏକ ଭୟଙ୍କର ଅତିକାୟ ରାକ୍ଷସ ପରି

ଚତୁର୍ଦ୍ଦିଗରେ ତାର ବିକଟ ଜିହ୍ୱା ବିସ୍ତାର କରି ମାଡ଼ିଆସେ

ମୁଁ ଭୟଭୀତ ହୋଇ ମୋର ନିଜର ଏ ନିସଙ୍ଗତାକୁ

ଘୃଣା କରେ, ମୋର ରୋମାଞ୍ଚ ହୁଏ

ମୁଁ ଚାହେଁ ପୁଣି ସେଇ ବ୍ୟସ୍ତତା ସେଇ ଜନ ସମୁଦ୍ର

ସେଇ ହସ, ଅଶୟୁକୁ ଆପଣାର କରି

ବିଶୃଙ୍ଖଳ ଅତୀତକୁ ଖୋଜି, ଲୋଡ଼ି

ତାରି ଭିତରେ ହଜି ଯିବାକୁ ମୋର ଭାରି ବିଶ୍ୱାସ ହୁଏ ;

(ଯେମିତି କୌଣସି ଅନ୍ଧ ଆଖି ପାଇବାର ପ୍ରତିଶ୍ରୃତି)

ସେଇ ଭିତରେ ମୁଁ ଆତ୍ମସତ୍ତା ଖୋଜିବୁଲେ

ମୁଁ ଭାବେ ଯେପରି ସେଇ ବିଶୃଙ୍ଖଳର ଏକ ବ୍ୟତିକ୍ରମ ମୁଁ

ଏକ ଦୁର୍ଘଟଣା

ତଥାପି ସେ ମୋର ପ୍ରିୟ

କାରଣ ସେ ମୋର ସୃଷ୍ଟି କର୍ତ୍ତା

ପରମାରାଧ୍ୟ ମୋର ବିଚ୍ଛିନ୍ନ ବ୍ୟକ୍ତିତ୍ୱରେ

ଅତୀତ ଓ ବର୍ତ୍ତମାନର ଏକ ସାଲିସ୍ ।

☆☆☆

 

ଅରଣ୍ୟର ମାୟା

 

ହୁଏତ ଆଖି ଥାଇ ଜଳଜଳ ଚାହିଁବା ସତ୍ତ୍ୱେ ବି

ମୁଁ ଯେମିତି ଅନ୍ଧ ହେଲା ଚାହୁଁ ଚାହୁଁ ଦୃଷ୍ଟି ଶକ୍ତି ମୋର

ଲୋପ ହେଲା ଏବଂ ଏଠି ଦିନଟାରେ ପ୍ରର୍ଯ୍ୟାପ୍ତ ଆଲୋକେ ।

ଆଶ୍ଚର୍ଯ୍ୟ ଲାଗୁଛି ସବୁ ଦୃଶ୍ୟ ଯାହା ଅସ୍ପଷ୍ଟ ରହିଲା ।

ଯେ ନିଆଁଟା ଦଗ୍ଧ କଲା ଗହଳିଆ ସବୁଜ ଅରଣ୍ୟ

ଯାହାର ଶୀତଳ ଛାଇ ପ୍ରଚଣ୍ଡ ଏ ଗ୍ରୀଷ୍ମର ଉତ୍ତାପୁ

କିଛି ସମୟର ପୂର୍ବେ ମତେ ବେଶ୍ ରକ୍ଷା କରିଥିଲା

ମୁଗ୍ଧ କରୁଥିଲା ମଧ୍ୟ ନାନାଜାତି ପୁଷ୍ପର ସୌରଭେ ।

ଯେତେବେଳେ ଚୁପ ହୋଇ ଅରଣ୍ୟଟା ଶୋଇ ରହୁଥିଲା

ଝିଲ୍ଲୀର ଝଙ୍କାରେ ଏବଂ ଆରଣ୍ୟକ କେଉଁ ଏକ ପକ୍ଷୀ

କଣ୍ଠ ସ୍ୱର ରହି ରହି ଆସୁଥିଲା ଗଛେ ଗଛେ ବାଜି

ମୋ ମନର ସ୍ୱପ୍ନ ପରି ମିଶୁଥିଲା କାହିଁ କେତେ ଦୂରେ

ସେ ନିଆଁ ଜଳୁଛି ଆଜି ଶିଖା ଟେକି କେତେ ଯେ ଉଚ୍ଚରେ

ତୁମେ କିଆଁ ଲିଭାଇବ ? ପାରିବନି ଲିଭାଇ ତାହକୁ

ସେ ନିଆଁ ଜଳୁଛି ଜଳୁ ଧ୍ୱଂସ ହେଉ ଛଳନାର ବିସ୍ତୃତ ଅରଣ୍ୟ

ବିସ୍ତୃତ ସବୁଜ ଶ୍ରୀ ତା ପୋଡ଼ିଯାଉ ବିକ୍ଷୁବ୍ଧ ନୁହେଁ ମୁଁ ।

ଏକାକୀ ଏ ଦୀର୍ଘ ଅତିକ୍ରମି ଥକାମାରି ବସିବା ପୂର୍ବରୁ

ଏଠି ଏଇ ଛାୟାଘନ ଅରଣ୍ୟର ଅଖ୍ୟାତ ଉପାନ୍ତେ

ମୋତେ କିଏ କହିଲାନି ଏହାର ଯେ ଇନ୍ଦ୍ରଜାଲ ମାୟା

ନିରୀହ ପଥିକ କେତେ ଜାଳିପୋଡ଼ି ମାରୁଛି କିପରି

ହେ ମୋର ଉତ୍ତର ଯାତ୍ରୀ ! ସାଥୀ ମୋର ଶୁଣ ଏଇ ଶୁଣ

ମୁଁ ସର୍ବସ୍ୱ ହରାଇଲି କି ଯନ୍ତ୍ରଣା ବୁଝିବନି ତୁମେ

ତଜ୍ଜନିତ ଦୁଃଖ ଯାହା ଅନୁଭବ ବିନା ବୁଝି ନୁହେଁ

ସେଥିରେ ମୁଁ ମରୁଅଛି ତିଳତିଳ କୁହୁଳି କୁହୁଳି

ସମସ୍ତ ଶରୀରେ ମୋର ପ୍ରତ୍ୟେକଟି ଅଙ୍ଗ ପ୍ରତ୍ୟଙ୍ଗରେ

ରକ୍ତର ସଂଚାଳନା ପରି ମାଡ଼ିଯାଏ ଦହନରଜ୍ୱାଳା

ମୋ ହାତରେ ଗଢ଼ା ସୃଷ୍ଟି ଆହା ଏତେ ଶ୍ରମର ମହତ୍ୱ

ମୋ ସମ୍ମୁଖେ ନଷ୍ଟ ହେଲା–ମୁଁ ସହୁଛି ଧିକ୍ ମୋତେ ଧିକ୍

ଏଡ଼ିକି ଅରମା ବାଟ ଯାହାକେବେ ସଫାକରି ନୁହେ

ହୁଏ ତ ଏ ଦେହ ମୋର ମାଟି ହୋଇ ପ୍ରତିଟି ରେଣୁରେ

ପାଲଟିବ ଧୂଳି ଏବଂ ଉଡ଼ି ଉଡ଼ି ପବନେ

କହୁଥିବ ମୁଁ କେମିତି ସତପଥେ ଧାଇଁଛି ଯଦିଓ

ମୃତ୍ୟୁ ମୋର ରାହାଧରି ବେଗବାନ ଅନେକ ଦିନରୁ ।

ମୃତ୍ୟୁ ଏଠି ସତ କିନ୍ତୁ ତା ଠାରୁବି ସତ ଏଠି ପୁଣି

କାମନା ର ପରିତୃପ୍ତି, ଶ୍ୱାସରୁଦ୍ଧ ଯେତେକ ଦଉଡ଼

ପ୍ରଣୟ, ପ୍ରତୀକ୍ଷା, ପ୍ରେମ ଆତ୍ମଗ୍ଳାନୀ ଶୋକ ଓ ଯନ୍ତ୍ରଣା

ଅମାୟିକ ଶିଶୁପରି ପ୍ରତାରିତ ହେବାର କାରଣ ।

☆☆☆

 

ହେ ଆଶ୍ଚର୍ଯ୍ୟ ଅଶ୍ରୁଳ ଅତୀତ !

 

ସେ ଦୃଷ୍ଟିରେ ଜଳିଗଲି, ଜଳିଗଲି ପାରିଲିନି ଜମା

ନିଜକୁ ଆୟତ କରି ମୁହୂର୍ତ୍ତକେ ମୋ ଆଖିର ସୀମା

ଛୁଇଁଲା ଆକାଶ ନୀଳ, ଚାରିପାରେ ପୃଥିବୀ ଯେପରି

ହଠାତ୍ ଘୂରିଲା ଖାଲି ସୃଷ୍ଟି କରି ଅଶ୍ଚର୍ଯ୍ୟ ଭଉଁରୀ ।

ଚେତନା ଫେରିଲା ଯେବେ ଜାଣିବାକୁ ରହିଗଲା ପୁଣି

ପ୍ରଥମେ ଦେଖିଲି ଅବା ଏ ସମୟ ବହୁଛି ଉଜାଣି

କେତେ ଯୁଗ ବିତିଗଲା ଏଠି କେତେ ଘଟଣାର ସୁଏ

ନିଜକୁ ଭସାଇ ଦେଇ ବୁଡ଼ିଗଲି ଅବାକ୍ ବିସ୍ମୟେ ।

ସେ ତତ୍ତ୍ୱ ବୁଝିବା ପାଇଁ ଯେତେ ସବୁ ତଥ୍ୟ ଓ ଦର୍ଶନ

ସବୁକୁ ନିଜର କରି ଯାହା କିଛି ନିତ୍ୟ ଓ ନୂତନ

ଘଟଣାର କ୍ରମନେଇ ଦେଖୁଥିଲି ଜୀବନର ଗତି

ସ୍ୱପ୍ନର ସୀମାନ୍ତ ଟପି ନିର୍ବିକାରେ ଏଠି ନିତି ନିତି ।

ଏ ପାଖେ ନିଶ୍ଚିତ ଅତି ଜୀବନର ସୁ ସଂହତ ପଥ

ଅଦୂରେ ଆଲୋକ ଥିଲା କରି ଖାଲି ମୁଗ୍ଧ ସଚକିତ

ମଝିରେ ଦୁର୍ଗମ ନଦୀ ଅପନ୍ତରା ଘାଟୀ ରାସ୍ତା କେତେ

ଭାବିଲି ଯିବାକୁ ହେବ ଆଲୋକର ରାହା ଧରି ମତେ ।

କୋଳାହଳ ଅହଙ୍କାରେ ସେ ପାଖର ଆଲୋକ ବିସ୍ତୃତି

ମୋତେ ବି ଲାଗିଲା ଭଲ ସେ ନିର୍ଜନ ଶୂନ୍ୟ-ତାର ସ୍ଥିତି ।

ଆଜି ସେ ଅନ୍ଧାର କାଟି ଅପନ୍ତରା ଘାଟୀ ରାସ୍ତା ଡେଇଁ

ଏଠି ମୁଁ ନିଜକୁ ଦେଖେ ଆଲୋକର ସମ୍ମୁଖରେ ଥାଇ

ଆଲୋକ ଅସହ୍ୟ ଲାଗେ ମନେ ହୁଏ ଅନ୍ଧାର ଇ ସତ

ତେଣୁ ମୁଁ ସ୍ୱାଗତ କରେ ହେ ଆଶ୍ଚର୍ଯ୍ୟ ଅଶ୍ରୁଳ ଅତୀତ ।

☆☆☆

 

ଆତ୍ମକଥା

 

ତୁମେ ଯିଏ ହଜିନାହଁ ହଜିଥିବା ଛଳନା ଭିତରେ

ନିଜର ସ୍ୱରୂପ ରଖି ଅପ୍ରକାଶ ଏ ପ୍ରାଣର ପ୍ରତିଟି ତନ୍ତ୍ରୀରେ

ଆଶଙ୍କା ଓ ଅବିଶ୍ୱାସ ଅବ୍ୟକ୍ତ ଅନେକ ବ୍ୟଥା

ନିହାତି ନିର୍ମମ ହୋଇ ନିସ୍କରୁଣ ସଂଚାରଣ କର,

ଶୁଣ ଥରେ କଥା ମୋର ଏ ବିଦଗ୍ଧ ବିକଳ ଆତ୍ମାର !

ସମୟ ତରଙ୍ଗ ମୁହେଁ ପଡ଼ି ଉଠି ଅଣାୟତ ଲୁପ୍ତ ଚେତନା ମୋ

ଅସହାୟ ପତ୍ର ପରି ଏତେ ଦୂର ଅତିକ୍ରାନ୍ତ କରି

ଭୁଲି ତ ପାରିନି କେବେ ସେ ପଥର ସେଇ ସ୍ମୃତି

ଅବୁଝା ପିଲାଙ୍କ ପରି ଯେତେବେଳେ ଅଳି କରୁଥିଲି

ସେ ସ୍ନେହରୁ କାଣିଚାଏ ସେ କଥାରୁ କେତେ ପଦ ପାଇଁ

ଅଜସ୍ର ଦହନ ଜ୍ୱାଳା ଅର୍ହନିଶି ଶାନ୍ତ କରିବାକୁ

ସେଥିରେ ନିମଜ୍ଜି ରହି କେଉଁ ଏକ ସ୍ୱର୍ଗୀୟ ସତ୍ତାର

ସନ୍ଧାନ ହିଁ ପାଉଥିଲି କ୍ଳାନ୍ତ ମୋର ଶାନ୍ତ ଏ ଦେହରେ

ଆପାଦ ସସ୍ତକେ ମୋର ନାନାଜାତି ବିଚିତ୍ର ରଙ୍ଗର

ଫୁଲ ସବୁ ଝଡ଼ୁଥିଲେ, ଗନ୍ଧ ତାଙ୍କ ପବନ ସ୍ପର୍ଶରେ

ଅନନ୍ତ ଆକାଶ ବ୍ୟାପି ପରିପୂର୍ଣ୍ଣ ହୋଇ ରହିଥିଲା

ମୋତେ ବି ସଂପୃକ୍ତ କରି ସେ ମହାନ୍ ସଂଯୋଗ ବ୍ୟାପ୍ତିରେ ।

☆☆☆

 

ଭିନ୍ନ ଦୃଷ୍ଟି

 

ସହସ୍ର ସ୍ଖଳନ ପରେ ବ୍ୟାଖ୍ୟା କରି ନୀତି ଦର୍ଶନର

ସେଥିରୁ ନିଷ୍କୃତି ଭିକ୍ଷା ଅଜ୍ଞାତରେ ସେ ସବୁ ଘଟୁଛି

ନିଜର ଆୟତ ନାହିଁ ଏ ପତନ ଆକସ୍ମିକ ଖାଲି

ଆମର ସ୍ଥିତି କି ଖାଲି ଶୂନ୍ୟତାରେ, ସ୍ଥିତିହୀନ ଅସ୍ତିତ୍ୱ ଭିତରେ ।

ଆମେ ଯଦି ଶୂନ୍ୟ ନୋହୁ ସତ ଯଦି ଏ ଦେହ ଏ ଦେହଜ କାମନା

ତେବେ କିଆଁ ଅଭିନୟ କିଆଁ ତେବେ ମିଥ୍ୟାର ପ୍ରଶସ୍ତି

ଛଳନାର ଜାଲବୁଣି ଆତ୍ମୀୟତା ସୂତ୍ରରେ ଅନ୍ୟକୁ

ବାନ୍ଧିବାର ଏ ଉଦ୍ୟମ, ଘୃଣ୍ୟତାର ଚରମ ଅଭିପ୍ସା ?

ଏ ନିର୍ଲଜ ପ୍ରକାଶର ଅନ୍ତରାଳେ ଆତ୍ମରକ୍ଷା ବିକୃତ ବାସନା

ଚରିତାର୍ଥ ହେବା କେବେ କାମ୍ୟ ନୁହେଁ ଶିଶୁମନ ଭୁଲା

କଥାର ତର୍ଜମା କରି ଏ ଅଦ୍ଭୁତ ଆମ୍ଭ ସମୀକ୍ଷଣ !

ଏ ତଥ୍ୟର ମୂଲ୍ୟ କିବା ? ଅସଂଲଗ୍ନ କାର୍ଯ୍ୟ କାରଣର !

ଆମେ ଯେଣୁ ସତ୍ୟ ଏବଂ ମିଥ୍ୟା ନୁହେଁ ଜ୍ୱାଳାର ଦହନ

ସତ୍ୟ ପ୍ରକାଶର ପାଇଁ କୁଣ୍ଠା କିଆଁ ସୃଷ୍ଟି କରି ମିଥ୍ୟାର ଦର୍ଶନ ।

☆☆☆

 

ବସନ୍ତ

 

ବସନ୍ତର ଆକର୍ଷଣ ଦେହେ ଦେହେ ଦୂରନ୍ତ ଅରଣ୍ୟ

ଗନ୍ଧର ଚମକ ଲାଗେ, ଆକାଶରେ ଖଣ୍ଡିତ ମେଘର

ଚମତ୍କାର ଆୟୋଜନ, ମନେହୁଏ କାହାର ପ୍ରତୀକ୍ଷା

କରିବା ଉଠୁଛି ଜାଗି ଏ ସହର ଗଳି ରାସ୍ତା ହାଟ ଓ ବଜାର ।

ଆଜି ଯଦି ବର୍ଷାହୁଏ, ଆଜି ଯଦି ମନର ପାର୍ଥକ୍ୟ

ହଠାତ୍ ଦୂରକୁ ଠେଲି ଘେରିଆସେ କ୍ରମ ଅନ୍ଧକାର

ଅନେକ ସର୍ପିଳ ରାସ୍ତା, ବନ ବିଲ, ଗୋହିରୀ ଟାଙ୍ଗର

ଦୃଷ୍ଟିର ସୀମାନ୍ତେ ନାଚେ ପବନରେ ଆହତ ସ୍ୱପ୍ନରେ–

ଏ ଯେଉଁ ମୂର୍ଚ୍ଛନା ଉଠେ ସତେ କଣ ତାହାରି ସ୍ୱରୂପ

ତୁମେକି ଦେଖିଛ କେବେ, କେବେ କଣ ନିଜର ସମୀକ୍ଷା

ନିଜର ଗ୍ଳାନିର ସ୍ଥିତି କଲାବେଳେ ବସନ୍ତର ତୀବ୍ର ଆକର୍ଷଣ

ଅସ୍ୱୀକାର କରିଅଛ ଗାଇ ଖାଲି ମୃତ୍ୟୁର ବନ୍ଦନା ?

ଜୀବନରେ ସତ ଯଦି ଆତ୍ମକୃତ ମନର ବିକୃତି

ତଜ୍ଜନିତ ମନସ୍ତାପ କ୍ଷୋଭ ଅବା ଅନ୍ୟମନସ୍କତା

ଏ ଛଳନା ବିପର୍ଯ୍ୟସ୍ତ କରେ ଖାଲି ସମସ୍ତ ଚେତନା

ଦୀପ୍ତିମାନ ମରେ ବରଂ କାମନାର ହୃଦୟ ଜ୍ୱାଳାକୁ ।

ତେଣୁ ତୁମେ ଦେଖ ଏଇ (ଯିଏ କର ମୃତ୍ୟୁର ବନ୍ଦନା)

ବସନ୍ତ ଡାକୁଛି ଦୂରେ, ଆକାଶେ ଓ ପବନ ଲହରେ

ଏ ଯେଉଁ ଉନ୍ମାଦ ଗୀତ ସଂକ୍ରମିତ ହୋଇ କ୍ରମେ ଆସି

ସେଥିରୁ ମୁକ୍ତି କି ଅଛି ? ଅର୍ଥହୀନ ଯେତେକ ଉଦ୍ୟମ ।

☆☆☆

 

ସଲିଲକି (୧)

 

ସପନେ ମଜ୍ଜି ରହିବା କିଛିକାଳ

ନିଜକୁ ଭୁଲି ଦେଖିବା ନୂଆ କଥା

ନୀରବ ରାତି ନିଶୂନ ଚଉଦିଗ

ଆକାଶେ ଭରା ତରା ଓ ନିହାରୀକା ।

ଏମିତି ଦିନେ ଜାଣିତ ଥିବ ତୁମେ

ସପନ ଯେବେ ହଠାତ୍ ଯାଏ ଭାଜି

ଜହ୍ନ ନାହିଁ, ଆକାଶେ ଖାଲି ତାରା

ମନର ତୁମ ମଣିଷ ଯାଏ ହଜି !

ସବୁଠି କଲା ନିଝୁମ ରାତି ଗୋଟା

ସତେ ତା ହାତୁଁ ମୁକ୍ତି ଆଉ ନାହିଁ

କିମିତି କୁହ କରିବା ତେବେ ଆଶା

ପୁଣି ଯେ ଦିନେ ପାରିବ ଦେଖା ହୋଇ ?

ପୁଣି ଯେ ତୁମ ଅଧରେ ଥିବ ହସ

ଯେ ହସେ ବାଇ ହୋଇଲେ ସବୁ ତରା

କଣ୍ଠେ ଥିବ ମିଳନ ମହାଗାନ

ଚପଳ ମନେ ଦେବ କି ଧରା ?

☆☆☆

 

ସଲିଲକି (୨)

 

ଅନେକ କଥା କହିବି ଭାବି ନିତି

କିଛି ମୁଁ ଅଜି ପାରୁନି ଯାହା କହି

ଆଖିର ଲୁହେ ଦୃଷ୍ଟି ସୀମା ହଜେ

କୁହେଳୀ ଖାଲି କାହିଁ ଯେ ପଥ କାହିଁ !

ଜୀବନ ଏଠି ଶୂନ୍ୟ ନୁହେଁ ବୋଲି

କହିଛି କେତେ ପୁରାଣ ପୋଥି ମତେ

ଆଜି ମୁଁ ଯେବେ ଫେରୁଛି ଘର ମୁହାଁ

ପାରୁଛି ଜାଣି ରିକ୍ତ କେଡ଼େ ସତେ !

କଣ୍ଠ ତୋଳି ଗାଇଛି ଯେତେ ଗୀତ

ଆକାଶ ଆଉ ପବନେ ଗଲା ମିଶି

ରକ୍ତ ଦେଇ ଫୁଟାଇଲି ଯେ ଫୁଲ

ରାତିର ଶେଷେ ମଉଳି ଗଲା ଖସି ।

ଆମେ କି ତେବେ ଅଥଳ ସୁଅ ମୁହେଁ

ପତ୍ର ଦୁଇ ହୋଇଲେ ଏକାକାର

କିଏବା ଭାସି ଆସିଲେ କେତେ ଦୂରୁଁ

ସ୍ୱପ୍ନେ ରସି ଧୂଳି ଏ ଧରଣୀର ।

ଦିନ ଓ ମାସ ବରଷ ଏତେ ଧରି

ଯେ ପଥ ଧାରେ ଆସିଲି ପାଦ ଚାଳି

ସେଠି ତ ଆଉ ଚିହ୍ନ ଦେଖେ ନାହିଁ

ଅବୁଝା ଭାଷା କେବଳ ଯାଏ ଖେଳି ।

☆☆☆

 

ସଲିଲକି (୩)

 

ଅର୍ଦ୍ଧରାତ୍ରି, ଏଠିସବୁ ଭୟଭୀତ ନିସ୍ତବ୍ଧ ନିଶୂନ

ଏତେବେଳେ ମନେହୁଏ ସେଇଘରେ ଛାଇ ଯାଇଥିବ

ନିଘଞ୍ଚ ଅନ୍ଧାର ତଳେ ସ୍ୱପ୍ନ କିଛି ଅବିଶ୍ୱସ୍ତ ସ୍ୱପ୍ନ ।

ସହସ୍ର ଦୁଃସ୍ୱପ୍ନ ସତ୍ତ୍ୱେ ଏଠି କିନ୍ତୁ ଜାଣିବାକୁ ଭୟ

କାରଣ ଜାଗିବା ଅତି ଭୟଙ୍କର ମିଥ୍ୟା ଏ ନିଦ୍ରାରୁ

ଗୋଟାଏ ବିକ୍ଷୁବ୍ଧ ପକ୍ଷୀ ଉଡ଼ିଯାଏ ପତ୍ରର ଗହଳୁ

ପବନର ସ୍ତରେ ସ୍ତରେ ଶୀତ ଋତୁ ଆଗମନୀ ବାର୍ତ୍ତା

ଆରବର୍ଷ ମନେ ପଡ଼େ ଏତେବେଳେ ଠିକ୍ ସତକଥା

ଏଠି ମଧ୍ୟ ବସିରହି ଅନେକଟା ଲିରିକ୍ ଲେଖିଛି ।

ଆଲୋକ ନଥାଇ ଛାଇ ଏ କାହାର ଘୂରି ଘୂରି ବୁଲେ

ପୁଣି ସେଇ ବ୍ୟର୍ଥାହତ ସ୍ୱପ୍ନଙ୍କର ଦାରୁଣ ଯନ୍ତ୍ରଣା

ମୁଁ କଣ ଭୁଲିଛି ସବୁ ମୋ ରକ୍ତର ପ୍ରତିଟି ବିନ୍ଦୁରେ

ଯେ ଆଜି ରହିଛି ଜୀଇଁ ଆଉ ମଧ୍ୟ ପ୍ରତିଟି ନିଶ୍ୱାସେ ।

ହାତୁଡ଼ି ହାଣୁଛି ନିତି ସ୍ମୃତି ଏବଂ ବିସ୍ମୃତି ମଝିରେ

ନିର୍ଦ୍ଧାରିତ ସୀମାରେଖା ଟାଣି ମତେ କହେ ବାରବାର

ବଞ୍ଚିବାକୁ ଖାଲି ଏଠି ଗ୍ଳାନି ଆଉ ଦୁଃଖ ଯେତେ ଭୁଲି ?

ଅଭିଶପ୍ତ ଯେମିତି ମୁଁ, ଏଇ ଶୁଭେ ଶୂନ୍ୟବାଣୀ କାର !

☆☆☆

 

ସଲିଲକି (୪)

 

ଏମିତିକି ରହିଥିବି ଶୋଇ ?

ସମୟକୁ ଫାଙ୍କି ଦେଇ କେତେଦିନ...କେତତଦିନ ପାଇଁ !

ଶୀତର ଏ ସକାଳରେ ଖରାଆସେ

ମୋ ଘରର ଝର୍କା ଦେଇ ରାସ୍ତାକଡ଼େ ଗଛେ,

ପତ୍ରେ ସ୍ୱପ୍ନ ବୋଳି

ପ୍ରାଣ ସ୍ପର୍ଶ ଦେଇ ।

ଏତେବେଳେ ଦୂରେ କାହିଁ ପାହାଡ଼ି କନ୍ୟାର

ଦେହେ, ମନେ ଜାଗୁଥିବ ସ୍ପର୍ଶାତୁରା କାମନା ଦୁର୍ବାର

ଆଶା, ହତାଶାର ମଧ୍ୟେ ମୋହ ଏକ ବଞ୍ଚି ରହିବାର ।

ସାନ ସାନ ପିଲାମାନେ ଚାଲିଯାନ୍ତି ଏକ ପରେ ଏକ

ମୁହେଁ ତାଙ୍କ ସରଳ ଓ ନିର୍ବିକାର କଇଁଫୁଲ-ହସ ।

କାଲିର ସଂଧ୍ୟାରେ ଯେବେ ଝର୍କା ଦେଇ ଦେଖୁଥିଲି ଏଠି

ସେମାନେ ବି ହସୁଥିଲେ–

ବୋଷ ଦାଦା, ମିଶ୍ରବାବୁ, ମିସ୍‍ଘୋଷ, ତ୍ରିପାଠୀ ପ୍ରଭୃତି

ସେମାନେ ବି ହସୁଥିଲେ

ତୋଫା ଜହ୍ନ ଆଲୁଅରେ ରହି ରହି ଗଲା ଚାପି ଚାପି

ହାତ ଧରା ଧରି ହୋଇ ଗୁଣୁ ଗୁଣୁ ଗୀତ କିଛି ଗାଇ ।

ସେମାନେ ବି ଭୁଲୁଥିଲେ ଏଇମିତି

ବ୍ୟସ୍ତତାରେ ମୁଗ୍ଧ ହୋଇ ହୋଇ

ଏ ବର୍ଷର ନଷ୍ଟସ୍ମୃତି, କ୍ଷୋଭ ଆଉ ତଜ୍ଜନିତ

କ୍ଷୟ କ୍ଷତି ଯେତେ

ଯେତେବେଳେ ତାଙ୍କ ଆଗେ ସମୟର ପାଦଚିହ୍ନ

ସ୍ପଷ୍ଟ ହୋଇ ଯାଇଥିଲା ରହି

ସେମାନେ ବି ହସୁଥିଲେ-ହସତଳେ ହୃଦୟର ଅନ୍ଧକାର ଗ୍ଳାନିସବୁ

ସତେ କଣ ଦେବା ପାଇଁ ପୋତି !!

ଆଜି ତେଣୁ ମୁଁ ଭାବୁଛି–ନିଜର ସମଗ୍ରସତ୍ତା ଅହଂକାର,

ମାନ ଅଭିମାନ

ପ୍ରଣୟ, ପତୀକ୍ଷା [ଅବା ତା’ର ଯେତେ ପରିଣତି କୁହ]

ସମୟକୁ ଫାଙ୍କି କେବେ ଶୋଇରହି ପାରିବି ଲୁଚାଇ

ଅସୁସ୍ଥ ମନର ଯେତେ ଅଭିଯୋଗ, ବିଫଳ ପ୍ରତ୍ୟୟ !

ଶୋଇବାରୁ ଦୁଃଖ ଯେତେ, ଜାଗିବାର ଯନ୍ତ୍ରଣା ଯେତେକ

ଭାଙ୍ଗିବାର ଅପରାଧ, ଗଢ଼ିବାର ଯେତେ ଅପଯଶ

ସବୁ ଯେବେ ହଜୁଥାନ୍ତା ଏମୁହୂର୍ତ୍ତେ ମୋ ଦୁଷ୍ଟିସୀମାନ୍ତେ

ହୁଏତ ରହନ୍ତି ଶୋଇ ସବୁକିଛି କରି ଅସ୍ୱୀକାର ।

☆☆☆

 

ସୁନାର ଝିଅ

 

‘‘ନାଇଁ ମୁଁ ଖେଳିବି ନାଇଁ ସବୁଦିନେ ଠକୁଥିବ ତୁମେ

ମୋର ଗୋଟେ ଝିଅ ନାଇଁ,’’ ସୁନା ଆମ କାନ୍ଦୁଥିଲା ଖାଲି

‘‘ଏତେଥର କହିଲିରି ବୋଉ ଜମା ଶୁଣୁନାଇଁ ପରା

ବାପାଙ୍କୁ କହିଲେ ଯେତେ ତାଙ୍କର ତ ସେଇ କାଲି କାଲି

ବୋଉ ଖୁବ୍ ମିଛେଇଟା ନାନୀ କୁନି ଆଉ ମତେ ମିଶି

ତାଆରତ ତିନି ଝିଅ’ ଦିନରାତି କେତେ କରେ ଗେଲ

କୁନି ଲାଗି ନୂଆ ଲୁଗା, ନୂଆ ଯୋତା କିଣା ହୁଏ କେତେ

ଏଡ଼ିକି ଗେହ୍ଲେଇ ସିଏ କଲେଜରେ ପଢ଼େ ବୋଲି ଭଲ ।

ନାନୀ ବିଭାଘର ଦିନ କେତେ ବାଜା ବାଜିଲା ଦାଣ୍ଡରେ

କେତେ ଖିରି ପିଠା ଘରେ ନାନୀ ହେଲା ନୂଆବୋହୂ ବେଶ

ଆମଘରୁ ଗଲାବେଳେ କେତେ ପୁଣି ବାହୁନି କାନ୍ଦିଲା

ବୋଉ ଆମ କାନ୍ଦିଲା ବି ନାନୀ ଯେବେ ଗଲା ନୂଆଦେଶ ।

ନନା ତୁମେ ଶୁଣିବନି ? ଆଜି ମତେ ଝିଅ ଗୋଟେ ଦିଅ

ତା ସାଙ୍ଗରେ ଖେଳିବି ମୁଁ ସିଏ ମୋର ଗୋଡ଼ରେ ଶୋଇବ

ମୁଁ କହିବି ନୂଆ କଥା କଞ୍ଚନ ଓ ଅସୁରୁଣୀ କଥା

ତାକୁ କେତେ ସଜେଇବି, ମୋ ମୁହଁକୁ ଚାହିଁ ସେ ହସିବ ।’’

ସୁନାର ଆସିଲା ଝିଅ–ପ୍ଲାଷ୍ଟିକର ଚମତ୍କାର ଝିଅ

ଜୁଳୁଜୁଳୁ ଚାହୁଁଥିଲା, ନାଇଲନ୍ ଫ୍ରକ ତା ଦେହରେ

ଭାରି ଭଲ ମାନୁଥିଲା; ଦିନରାତି ନ ଥିଲା ସୁନାର

ଯେତେବେଳେ ଦେଖ ତାକୁ ଝିଅ ଧରି ବସିଛି କୋଳରେ

କେତେଦିନ ଗଲାବିତି; ସୁନାଝିଅ ବାହାଘର ହେବ

ସେଥିପାଇଁ ଲୋଡ଼ାତାର ରେଡ଼ିଓ ଓ ନୂଆ ଟେଲିଫୋନ୍

ନୂଆ ଗୋଟେ ହାତ ଘଡ଼ି ଜୋଇଁ ପାଇଁ ଝିଅ ପାଇଁ ତାର

ବରାଦ ଜିନିଷ କେତେ; ନାହିଁ କଲେ କେତେ ଅଭିମାନ ।

ପ୍ଲାଷ୍ଟିକର କିଣା ହେଲା ଯେତେ ଯାହା ବରାଦ ଜିନିଷ

ସକାଳ ପାହିଲେ ହେବ କାଲି ତାର ଝିଅ ବିଭାଘର

କୋଳେ ତା ଝିଅକୁ ଧରି ସୁନା କେତେ ବାହୁନି କାନ୍ଦିଲା

ତାକୁ ଛାଡ଼ି ଚାଲିଯିବ ଶାଶୁଘର ଗେହ୍ଲାଝିଅ ତାର

ହଠାତ୍ ଥମିଲା ପୁଣି ଗେଲକଲା, ବାହୁନି କାନ୍ଦିବା

ତା ମନରେ ଖୁବ୍ ରାଗ–ଯେତେ କଥା କହିଲେ ବି ସିଏ

ଝିଅ ଜମା ଶୁଣୁ ନାଇଁ, ସେ କାନ୍ଦିଲେ ତା ଝିଅ କାନ୍ଦୁନି

କାଲିଯିବ ଶାଶୁଘର ଜଳ ଜଳ ଖାଲି ଚାହିଁ ରହେ ।

ଏ ଝିଅଟା ମରିଯାଉ ରାଗିଯାଇ ଫିଙ୍ଗିଦେଲା ସୁନା

ଦେଲାଫିଙ୍ଗି ଯେତେସବୁ ଟେଲିଫୋନ୍ ଘଣ୍ଟା ଓ ରେଡ଼ିଓ

ଫଲିଫୁଲି କାନ୍ଦୁଥିଲା ଚୂନାହୋଇ ପଡ଼ି ରହିଥିଲା

ସୁନାର ଗେହ୍ଲେଇ ଝିଅ, ଯେତେ ତାର ସ୍ନେହ ଓ ପ୍ରତ୍ୟୟ ।

☆☆☆

 

ଜାନୁଆରୀ

 

ଆଜି ବି ସକାଳ ଆସେ ଧୀରେ ଆସେ ଆକାଂକ୍ଷିତ ନରମ ସକାଳ

ପଉଷ କୁହୁଡ଼ି ତଳୁ ସୂର୍ଯ୍ୟ ଉଠେ, ଗଛେ ଗଛେ

ପଳିତ ପତ୍ରରେ

ଅହେତୁକ ଉନ୍ମାଦନା ଝରିଯାଏ ଜାଗିଉଠେ

ନିସ୍ତବ୍ଧ ସହରେ

ଜୀବନର ବ୍ୟାକୁଳତା ଆକାଶର ଅନନ୍ତ ନୀଳରେ ।

କ୍ୟାଲେଣ୍ଡର ବଦଳୁଛି–ହୃଦୟର କ୍ଳାନ୍ତ ଆୟୋଜନେ

ନୂତନ ପ୍ରସ୍ତୁତି ପାଇଁ ଅଶ୍ରୁହୋଇ ଝରିପଡ଼େ ବ୍ୟଥାଯେତେ,

ପ୍ରାଣର ମମତା

ବିଗତ ବର୍ଷର ପାଇଁ, ବିଶୃଙ୍ଖଳ ବିଗତ ବର୍ଷର

ସ୍ମୃତି ଓ ବିସ୍ମୃତି ପାଇଁ ଯେତେ ଆଶା ଯେତେକ ବ୍ୟର୍ଥତା !

ଏ ବେଳେ ଯାଉଛି ଦେଖା ଦୂରେ ଏଇ ଦୃଷ୍ଟିର ସୀମାନ୍ତେ

ଅନେକ ବିଷର୍ଣ୍ଣ ମୁହେଁ ପୁଂଜିଭୂତ ନିବିଡ଼ ଅନ୍ଧାର

ଅନ୍ଧାରେ ଅସ୍ପଷ୍ଟ କଥା ଅବୋଧ୍ୟ ବିଦ୍ରୂପ ହସ ଅନେକ ବି

ଅଶ୍ଳୀଳ ମନ୍ତବ୍ୟ

ମୁଁ ମୌନ ନିର୍ବାକ ହୁଏ କଣ୍ଠରେ ସ୍ୱାଗତ ଗାନ

ମୁହଁରେ ନୀରବଭାଷା ଅବ୍ୟକ୍ତ ଅସ୍ଥିର ।

ତେବେ ବି ଅନେକ ପଥ ଅତିକ୍ରମି ତଜ୍ଜନିତ କ୍ଳାନ୍ତି ଓ ବିରକ୍ତି

ମଝିରେ ମଝିରେ ପୁଣି ଆଗକୁ ଯିବାକୁ ହେବ ରାହାଖୋଜି

ଦ୍ରୂତ ସମୟର

ବୟସର ରଙ୍ଗ ଝରେ, ସ୍ମୃତି ଓ ବିସ୍ମୃତି ମିଶେ,

କ୍ଷୟ କ୍ଷତି ହିସାବ ନିକାଶ

ସବୁକିଛି ଅର୍ଥହୀନ; ଏଠି ଖାଲି ପ୍ରତୀକ୍ଷା ହିଂସାର ।

ସେ ପୁଣି କାହାର ପାଇଁ ? କେତେଦୂରେ ପ୍ରତ୍ୟୟ ଆସେନି

ସେ ଉଦବେଗ ପ୍ରତୀକ୍ଷାର ଅନ୍ତ ନାହିଁ କ୍ରମ ଇତିହାସ

ବିଶ୍ଲେଷଣ କରିବାର ଶକ୍ତି ନାହିଁ, ସବୁକି ନିଷ୍ପ୍ରାଣ

ଅଶ୍ରୁର ତର୍ପଣ ତେଣୁ ତାଙ୍କ ପାଇଁ ସେ ଯିଏ ପରାସ୍ତ ।

ନୂତନ ସ୍ପର୍ଶରେ ଯଦି ଘୂଞ୍ଚିଯାଏ ଅବସାଦ, ଚରମ ବ୍ୟର୍ଥତା

ମୁଁ ତାର ବନ୍ଦନା ପାଇଁ ଉତ୍ସସିତ ଶତମୁଖ ହୁଏ

ଏ ସକାଳ ଅଭିଭୂତ କରେ କେଉଁ ଆଶ୍ଚର୍ଯ୍ୟ ସୃଷ୍ଟିରେ

ସମସ୍ତ ପୃଥକ ସତ୍ତ୍ୱେ ମୋ ସାମନାରେ ଛାଇ ଏକ

ଝାପସା ଦିଶେ କ୍ରମ ପୂର୍ଣ୍ଣତାର ।

☆☆☆

 

ରବିବାର

 

ସପ୍ତାହର କ୍ରମାଗତ କ୍ଳାନ୍ତି ଏବଂ ବ୍ୟସ୍ତତା ଭିତରେ

ଅନେକ ଉତ୍କଣ୍ଠା ନେଇ ରବିବାର ତୁମକୁ ଚାହିଁଛି

ସକାଳର ଆକାଶରେ ଇତସ୍ତତଃ ଖଣ୍ଡ ଖଣ୍ଡ ମେଘ

ଭେଲାପରି ନେଳୀ ନେଳୀ ଜଳଦେହେ ଭାସିଗଲାବେଳେ ।

କାହିଁବା ନିଭୃତେ କେବେ ବନ୍ଦୀପରି ଏକାକୀ ନିସଙ୍ଗ

ଅଶାନ୍ତ ବରଷା ଝରା ଘନଘେରା କୃଷ୍ଣ ରଜନୀରେ

ସହସ୍ର ଦୁଃସ୍ୱପ୍ନ ଆଉ ଆଶା କେତେ ଆଶାଙ୍କା ସତ୍ତ୍ୱେବି

କେତୋଟି ମୁହୂର୍ତ୍ତ ଲୋଡ଼ି ସବୁକଥା ଭୁଲିଯିବା ପାଇଁ

ଏକ ଶାନ୍ତ ଆସରରେ, ଆକାଶର ଯେତେକ ନୀଳିମା

ଅରଣ୍ୟ ସବୁଜ ଶୋଭା କେଦାରର ଭରା ଶ୍ୟାମଳୀମା

ହାତରେ ସାଉଁଟି ନେଇ ଗଢ଼ିବାକୁ ଜୀବନ ଭୂମିକା ।

ଉଦ୍ଭ୍ରାନ୍ତ ସେ ଇଚ୍ଛା ମୋର ଆକାଂକ୍ଷିତ ପ୍ରିୟ ରବିବାର !

ସହର ରାସ୍ତାରେ ଆଜି ଭିକ୍ଷୁକ ଙ୍କ ରୁଗ୍‍ଣ ଶୋଭାଯାତ୍ରା

ଆକାଶେ ଆଚ୍ଛନ୍ନ ମେଘ, ଘରେ ଘରେ ସଂକ୍ରାମକ ବ୍ୟାଧି

ବନ୍ୟାର ବିପତ୍ତି ପୁଣି ଚାରିଆଡ଼େ ଜଳାର୍ଣ୍ଣବ ମାଇଲ୍ ମାଇଲ୍

ରବିବାର ସ୍ୱପ୍ନ ତୁଟେ ବିପର୍ଯ୍ୟସ୍ତ ପ୍ରାଣର ଚେତନା

ସପ୍ତାହର ଗ୍ଳାନି ଯେତେ ନଷ୍ଟ ଯେତେ ହୃଦୟର କଥା

ରବିବାର ଆସି ଯେତେ ପୋଛି ଦେଇ ପାରୁଥାନ୍ତା ସବୁ

ସେ ହୁଅନ୍ତା କାମ୍ୟ ବେଶୀ ଆଜିର ଏ ଚର୍ଚ୍ଚ ଘଣ୍ଟା ଠାରୁ

ମସ୍‍ଜିଦ୍‍ ମନ୍ଦିରର ପ୍ରାର୍ଥନା ସଂଗୀତ ଯେତେ

ଲୋକାରଣ୍ୟ ଆସକ୍ତି ମଝିରେ ।

☆☆☆

 

ଜୁନ୍ ପହିଲା

 

ଜୁନ୍ ପହିଲା, ବର୍ଷା ମୁଖର ଜୁନ୍ ପହିଲା

ଏବେ ପୁଣି ଉଜ୍ଜୀବିତ କରେ

ବହୁସ୍ମୃତି ବିପର୍ଯ୍ୟନ୍ତ ଚେତନାର ଝଡ଼

ହଜିଲା ଅନେକ ଛବି–ବିସ୍ମୃତିର ପ୍ରସ୍ଥ ପ୍ରସ୍ଥ ଆବରଣ ଚିରି

ଜଳିଉଠେ ଅସହାୟ ନିସ୍ତବ୍ଧ ଅନ୍ଧାରେ

ଆଜିର ଏ ବର୍ଷୁକ ସନ୍ଧ୍ୟାରେ ।

ପୁଣି ସେ ଅକୁହା କଥା

ଛଳ ଛଳ କରୁଣ ଚାହାଣୀ,

ତୁଳାର ନରମ ହାତ

ବାଷ୍ପାକୁଳ ଭରା ଚାହାପାତ୍ର

ଅଳସ ଉଦାସ ଚାଲି

ଅସଜଡ଼ା ଚିକ୍କଣ ଚିକୁର

ବାହାରେ ଝରଝର ବର୍ଷା

ଆମେ ଏଠି ନିର୍ବାକ ଓ ସ୍ଥିରା

ଚୌଦିଗେ ମାତିଛି ଝଡ଼ ଝଡ଼ କାତର ଓ କରୁଣ ବିଳାପ

ଝଡ଼ାକି ଥମିବ ନାହିଁ ?

ଏ ବ୍ୟଥା ଘୁଞ୍ଚିବି ନାହିଁ ?

ଫୁଲକି ଫୁଟିବ ନାହିଁ

ହସି ହସି ପବନ ଦୋଳାରେ

ପୁଣି କେବେ ଜୁନ୍‍ର ସକାଳେ ?

☆☆☆

 

ଅସ୍ପଷ୍ଟ ଦିଗନ୍ତ

 

ମୁଁ କେବେ କହିବି ନାଇଁ ମୋ ସ୍ମୃତିକି

ବାନ୍ଧିରଖ ଏଇପରି ଯୁଗ ଯୁଗ ପାଇଁ

ଜୀବନର ଯେତେ ସ୍ୱପ୍ନ ଆୟାସକୁ ଅସ୍ୱୀକାର କରି

ନିଜର ସ୍ୱତନ୍ତ୍ର ପୃଥ୍ୱୀ ବିବେକ ଓ ଆତ୍ମ ଚେତନାକୁ

ଛାରଖାର କରିଦିଅ ଦେଇଦିଅ ସବୁ ଜଳାଞ୍ଜଳି ।

ଯେବେ ମୁଁ ନିଜକୁ ଦେଖେ ନିଜେ ଦେଖି ଜଳିଯାଏ ହାୟ

ଯେତେକ ସ୍ୱାତନ୍ତ୍ର୍ୟ ସବୁ ଯାହାଲାଗି ସମର୍ପି ଦେଇଛି

ସେ ଦେଖେ ମୋ ପାଖେ ଆସେ କେବେ ସିନା ଅପସ୍ୱପ୍ନ ପରି

ସେ କେବେତ ମୋର ନୁହେଁ; ଚାରି ପାଖେ କୁହୁଡ଼ି ଘେରିଛି ।

ସେଥିରେ ମୁଁ ପହଁରୁଛି ସତେଅବା ଅକାତ ପାଣିରେ

ଗୋଡ଼ହାତ ପିଟିବାଟା ସାରହୁଏ ଏବଂ ଆସେ କ୍ଳାନ୍ତି ଓ ବିରକ୍ତି ।

ତା ପରେ ନିଶ୍ଚଳ ସବୁ ନିଶବଦ ଆକାଶ ପୃଥିବୀ

ହଇଜା ଉତ୍ପାତ ଗାଆଁ ସନ୍ଧ୍ୟାବେଳୁ ନିସ୍ତବ୍ଧ ଯେମିତି ।

ସବୁତ ସମ୍ଭବ...ଏଠି ଲୁଚି ଲୁଚି ଜାଲଟେ ବିଛାଇ

ମାଛ ପରି ଧରିନେବା ତୁମେ ମୁଁ ଓ ସେମାନେ ସମସ୍ତେ

ସେଥିରେ ଆନନ୍ଦ ଅଛି କିଛି ଗୋଟେ ମୁଖାକୁ ପିନ୍ଧିଲେ

ନିଜର ସ୍ୱରୂପ ଯାହା ପୁରାପୁରି ଫାଙ୍କି ଦେଇ ହେବ ।

ସମସ୍ତ ସ୍ଖଳନ ସତ୍ତ୍ୱେ ଜଟାଧାରୀ ସନ୍ୟାସୀ ଧାର୍ମିକ

ଆଜି ମଧ୍ୟ ନିଷିଦ୍ଧ ଏ ପ୍ରକୋଷ୍ଠରେ ନିଜକୁ ଲୁଚାଇ

ମୁଁ ବେଶ୍ ପରିତୃପ୍ତ ବେଳେ ବେଳେ ମୋ ଦୃଷ୍ଟି ସୀମାନ୍ତେ

କୁନି କୁନି ସରୁହାତ ମହମର ଧଳା ଧଳା ହାତ

ମୋ ବେକକୁ ଭିଡ଼ିଧରି ଗପପାଇଁ ଅଳିବି କରୁଛି

ଅଝାଟିଆ ପିଲାମାନ ଦିନସାରା ଖେଳି ଖେଳି କ୍ଳାନ୍ତ

ତଥାପି ତା ଏକଜିଦ୍ । ମତେ କିଛି କାହାଣୀ ଆସେତ !

ହୁଏତ ସେ କଥାକୁହା ନ ସରୁଣୁ କୋଡ଼ରେ ମୋଅର

ଅଲରା ଅଲରା ବାଳ ମୁଣ୍ଡ ତାର ନଇଁ ଆସିଲାଣି

ତା ପରେ ଶୋଉଛି ସିଏ ଆଶ୍ୱସ୍ତିର ନିଶ୍ୱାସ ମାରୁଛି

ମୋ କଥାଟି ସରେ ନାହିଁ । ଖାପଛଡ଼ା ସବୁ ମୁଁ ବୁଝୁନି

ଏ ଦୃଶ୍ୟ ପାଲଟେ ଢେଉ; ଢେଉ ପରେ ଢେଉ ଭାସିଆସେ

ଯୋଜନ ଯୋଜନ ଜଳ, ଜଳ ଆଉ ଜଳ ଖାଲି ଜଳ

ଦୂରର ଗୋହିରୀ, ବଣ, ବିଲ ଟାପୁ ଆମ୍ୱତୋଟା ସବୁ

ଗାଆଁ ମୁଣ୍ଡ ଠାକୁରାଣୀ ଶାଳ ଏବଂ ଗୋଠଣା ଟାଙ୍ଗର

ସବୁ ହୁଏ ଏକାକାର । କି ଆଶ୍ଚର୍ଯ୍ୟ ମୋ ଆଖି ପାଉନି ।

ମଶାଣୀ ପଦାରେ ସେଠି ସେମାନଙ୍କ ସନ୍ତକ ସ୍ମୃତିର

ପାଉଁଶ ଗଦାଟା ବୋଧେ କେବେଠାରୁ ଭାସି ଯାଇଥିବ

ଚିହ୍ନାବାଟେ ହଜିବଣି ପାଦଚିହ୍ନ କେତେ ଯେ କାହାର

କାହାର ଆୟତ ଅଛି ସୁଅଟାକୁ ଉଜାରି ନେବାକୁ ?

ବରଂ ଏଠି ବେଦନାରେ (ଯାହା କେବେ ପ୍ରକାଶି ହେବନି)

ଆତଯାତ ହେବା ଖାଲି ସତକଥା ତେଣୁ ଯାହା ଯେମିତି ଘଟୁଛି

ଘଟଣାର କ୍ରମ ନେଇ, ଦେଖିନିଅ ଜମା ତାର କାରଣ ବୁଝନି ।

Image